ଗରିବ ମେଧାବୀଙ୍କୁ ‘ସୁପର-୩୦’ ଦେଖାଇଲା ଜିନ୍ଦେଗି ଫାଉଣ୍ଡସେନ୍

ଭୁବନେଶ୍ବର : ଖ୍ୟାତି ସମ୍ପନ୍ନ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଆଧାରିତ ଚଳଚ୍ଚିତ୍ର ‘ସୁପର-୩୦’ ବେଶ୍ ଲୋକପ୍ରିୟତା ହାସଲ କରିଛି। ହ୍ରିତିକ୍ ରୋସନ୍ ଓ ମୃଣାଳ ଠାକୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଜଣେ ଶିକ୍ଷକ ଓ ଆର୍ଥିକ ଅନଗ୍ରସର ମେଧାବୀ ପିଲାଙ୍କ ସଫଳ ଜୀବନ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଏହି ଅବସରରେ ମୁମ୍ବାଇରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ସମେତ ଆନନ୍ଦ କୁମାର ଉପସ୍ଥିତ ଥିଲେ। ଆର୍ଥିକ ଅନଗ୍ରସର ମେଧାବୀ ପିଲାମାନଙ୍କୁ ମାଗଣାରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ପାଇଁ ପ୍ରଶିକ୍ଷଣ, ଖାଦ୍ୟ ଓ ରହିବାର ବନ୍ଦୋବସ୍ତ କରିଥିବା ଅଜୟ ବାହାଦୂର ସିଂହଙ୍କ ଦ୍ବାରା ପରିଚାଳିତ ‘ଜିନ୍ଦେଗି ଫାଉଣ୍ଡେସନ୍’ ଏହି ଫିଲ୍ମ ପ୍ରଦର୍ଶନ କରିଥିଲା। ଅର୍ଥର ଅଭାବ ଥିଲେ ହେଁ ସେମାନଙ୍କ ପାଇଁ ଯେ ଆଗକୁ ବଢ଼ିବାର ସୁଯୋଗ ଅଛି ଏହି ପ୍ରେରଣା ଦେବା ପାଇଁ ‘ସୁପର-୩୦’ର ସ୍ବତନ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ଚଳଚ୍ଚିତ୍ର ଦେଖିବା ପରେ ଅନେକ ପିଲା ପ୍ରେରିତ ହେବେ ବୋଲି ଆନନ୍ଦ କୁମାର ଓ ଅଭିନେତା ହ୍ରିତିକ୍ ରୋସନ୍ କହିଛନ୍ତି। ଫିଲ୍ମ ସରିବା ପରେ ଅଜୟ ଏବଂ ହ୍ରିତିକ ରୋଶନ ଜିନ୍ଦେଗି ଫାଉଣ୍ଡେସନ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ଜିନ୍ଦେଗି ଫାଉଣ୍ଡେସନ୍ ଦ୍ବାରା ପ୍ରଶିକ୍ଷିତ ହୋଇ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କ୍ରିଷ୍ଣା ମହାନ୍ତି କହିଛନ୍ତି, ମୋ ବାପାଙ୍କ ନିଧନ ପରେ ମା’ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଫୁଲ ଓ କେକ୍ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ଏଭଳି ପ୍ରତିକୂଳ ସ୍ଥିତିରେ ମେଡିକାଲ୍ ପରୀକ୍ଷା ଦେବା ପାଇଁ ମତେ ସହଯୋଗର ହାତ ବଢ଼ାଇଥିଲା ଅଜୟ ସାର୍ଙ୍କ ଜିନ୍ଦେଗି ଫାଉଣ୍ଡେସନ୍। ଫଳରେ ମୁଁ ଆଜି ଏଭଳି କୃତିତ୍ବ ହାସଲ କରିପାରିଛି। ୨୦୧୯ରେ ଫାଉଣ୍ଡେସନ୍ର ୧୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ସରକାରୀ ମେଡିକାଲ୍ କଲେଜ୍ରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଏହା ଆମକୁ ଗୌରବାନ୍ବିତ କରିଛି ବୋଲି ଫାଉଣ୍ଡେସନ୍ର ମୁଖ୍ୟ ଅଜୟ ବାହାଦୂର ସିଂହ କହିଛନ୍ତି। ଜିନ୍ଦେଗି ଫାଉଣ୍ଡେସନ୍ ମୁଖ୍ୟ ଅଜୟ ବାହାଦୁର ସିଂହ ନିଜେ ମଧ୍ୟ ପିଲାବେଳୁ ବହୁ ବାଧାବିଘ୍ନର ସାମ୍ନା କରି ଶିକ୍ଷା କ୍ଷେତ୍ରରେ ସଫଳତାର ଶୀର୍ଷ ସ୍ଥାନ ଛୁଇଁ ପାରିଛନ୍ତି। ଏଥି ସହିତ ଅଜୟ ଆଦ୍ୟାନ୍ତ ହାଇସ୍କୁଲ ସେକେଣ୍ଡାରୀ ସ୍କୁଲ ମାଧ୍ୟମରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରି ଆସୁଛନ୍ତି।