ଆଜିଠୁ ଭାରତ-ଓ୍ୱେଷ୍ଟେଣ୍ଡିଜ୍ ସିରିଜ୍: ବିରାଟଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ସିରିଜ। ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳ ହେବ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ବିଶ୍ବକପ୍ ପରେ ଟିମ୍ ଇଣ୍ଡିଆ ପ୍ରଥମ ସିରିଜ୍ ଓେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଟିମ୍ ଇଣ୍ଡିଆରେ କେତେକ ନୂଆ ଖେଳାଳି ସାମିଲ ହୋଇଛନ୍ତି। ତେବେ ଉଭୟ ଯୁବ ଖେଳାଳି ଏବଂ ପୁରୁଣା ଖେଳାଳିଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିବ। ବିଶେଷକରି ଏହି ଗସ୍ତରେ କ୍ରୀଡ଼ାପ୍ରେମୀଙ୍କ ନଜର ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ବ୍ୟକ୍ତିଗତ ସ୍କୋର ଭଲ ରହିଛି। ଏହି ଗସ୍ତରେ ଅଧିନାୟକ କୋହଲି ତିନୋଟି ରେକର୍ଡର ଅଧିକାରୀ ହୋଇପାରନ୍ତି। ଯଦି ଏପରି ହୁଏ, ତେବେ ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେବେ। ତେଣୁ ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଥିବା ଓ୍ୱେଷ୍ଟେଣ୍ଡିଜ୍ ମାଟିରେ ବିରାଟ କଣ କମାଲ ଦେଖାଇବେ ତାହା ବାକି ରହିଲା।
ଭାରତର ସଫଳ ଟେଷ୍ଟ ଅଧିନାୟକ ହୋଇପାରନ୍ତି ବିରାଟ!
ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ଭାବେ ଏବେ ସମସ୍ତଙ୍କ ନଜରରେ ବିରାଟ। ଯଦି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରେ ତେବେ ଭାରତୀୟ ଟେଷ୍ଟ କ୍ରିକେଟର ସଫଳ ଅଧିନାୟକ ଭାବେ ରେକର୍ଡ଼ କରିବେ ବିରାଟ। ବିରାଟଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ୪୬ଟି ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିରୁ ବିରାଟ ବାହିନୀ ୨୬ଟି ମ୍ୟାଚ ଜିତିଛି। ଅପରପକ୍ଷେ ଧୋନିଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ସର୍ବାଧିକ ୨୭ଟି ମ୍ୟାଚରେ ବିଜୟୀ ହୋଇଛି। ଯଦି ବିରାଟ ବାହିନୀ ୨ଟି ମ୍ୟାଚ ଜିତିନିଏ ତେବେ ବିରାଟ ଅଧିକ ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ଼ ତାଙ୍କ ନାମରେ କରିବେ। ଧୋନିଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୪୯ଟି ମ୍ୟାଚ୍ ଖେଳି ୨୧ଟିରେ ବିଜୟୀ ହୋଇଥିଲା।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦୦ ରନ୍ !
ଟେଷ୍ଟ କ୍ରିକେଟରେ ଆଇସିସି ବ୍ୟାଟସମ୍ୟାନ ରା଼ଙ୍କିଙ୍ଗରେ ବିରାଟ କୋହଲି ଏକ ନମ୍ୱର ସ୍ଥାନରେ ଅଛନ୍ତି। ବିରାଟ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଏପର୍ଯ୍ୟନ୍ତ ୧୫ଟି ଇନିଂସ ଖେଳିଛନ୍ତି। ଏହି ୧୫ଟି ଇନିଂସରେ ବିରାଟଙ୍କ ରନ୍ ରେଟ୍ ୪୫.୭୩ ରହିଛି। ଯେଉଁଥିରେ ୨ଟି ଶତକ ଓ ୩ଟି ଅର୍ଦ୍ଧ ଶତକ ସାମିଲ ଅଛି। ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ବ୍ୟାଟିଂ ପ୍ରଦର୍ଶନ ଭଲ ରହିଥିବା ବେଳେ କ୍ୟାରିବିଆନ ଦଳ ବିରୋଧରେ ୧୦୦୦ ରନ୍ କରିବାକୁ କୋହଲିଙ୍କୁ ଆଉ ୩୧୪ ରନ୍ ସ୍କୋର କରିବାକୁ ହେବ।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷର ଦିନିକିଆରେ ୨ ହଜାର ରନ୍ କରିବାରେ ପ୍ରଥମ ଭାରତୀୟ !
ଦିନିକିଆ କ୍ରିକେଟରେ ମଧ୍ୟ ବିରାଟ କୋହଲି ଆଇସିସି ତାଲିକାରେ ନମ୍ୱର ଓ୍ୱାନ୍ ରହିଛନ୍ତି। ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ମୋଟ ୩୩ଟି ଦିନିକିଆ ମ୍ୟାଚ ଖେଳି କୋହଲି ୭୦.୮୧ ରନ୍ ରେଟ୍ ସହ ଏଯାଏ ୧୯୧୨ ରନ୍ ସଂଗ୍ରହ କରିଛନ୍ତି। ଯଦି ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷ ଦିନିକିଆରେ କୋହଲି ୮୮ ରନ୍ କରନ୍ତି, ତାହେଲେ ତାଙ୍କ ବ୍ୟକ୍ତିଗତ ସ୍କୋର୍ ୨୦୦୦ ରନ୍ କରିବାରେ ସଫଳ ହେବେ କୋହଲି। ସୂଚନାଥାଉକି, ଦିନିକିଆରେ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର କେହି ଏଯାଏଁ ୨ ହଜାର ରନ୍ ସ୍କୋର କରିପାରି ନାହାନ୍ତି। ତେଣୁ ବିରାଟ ୨ ହଜାର ରନ୍ କଲେ ନୂଆ ରେକର୍ଡ ସୃଷ୍ଟି କରିବେ।