ଭରତପୁର କୋଇଲା ଖଣିରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମ୍ସିଏଲ୍ର ଉଦ୍ଧାରକାରୀ ଟିମ୍ ଆଜି ଏହି ମୃତଦେହକୁ ଉଦ୍ଧାର କରିଛନ୍ତି। ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତ ୨୩ ତାରିଖ ରାତିରେ କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁ ଘଟିଥିବା ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଏମ୍ସିଏଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସିକ୍ୟୁରିଟି ଗାର୍ଡ ରମେଶ ଦାଶଙ୍କ ସମ୍ପର୍କରେ କିଛି ସୁରାକ୍ ମିଳି ପାରିନାହିଁ।
ସୂଚନା ଅନୁସାରେ, ଜୁଲାଇ ୨୩ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଏମସିଏଲ୍ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ। ଆଉ କିଛି ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ପାହାଡ଼ ସଦୃଶ ମାଟି ଧସି ହୋଇଯାଇଥିଲା। ଯାହା ଫଳରେ ଏହି ମାଟି ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ।ସାଙ୍ଗେ ସାଙ୍ଗେ ୯ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।