ରାଜନାଥଙ୍କ ପରେ ଜିତେନ୍ଦ୍ର ପିଓକେକୁ ନେଇ କଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଭାରତର ନଜର ପାକିସ୍ତାନ ଅଧିକୃତ କଶ୍ମୀର ଉପରେ। ଏନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳର ଗୋଟିଏ ପରେ ଗୋଟିଏ ନେତା ପିଓକେ କୁ ନେଇ ନିଜ ମତ ରଖୁଛନ୍ତି। ଗତକାଲି ରାଜନାଥ ସିଂହଙ୍କ ମତ ପରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ପିଓକେ ପ୍ରସଙ୍ଗରେ ମତ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ ବୈଠକରେ ଯୋଗଦେଇ କହିଛନ୍ତି ଯେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପିଓକେ କିଭଳି ଭାରତରେ ସାମିଲ୍ ହେବ ସେ ନେଇ ପ୍ରଚେଷ୍ଟା କରିବା ଦରକାର। ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ତାଙ୍କ ଜୀବନକାଳ ଭିତରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଥିବାରୁ ସେ ବହୁତ ଖୁସି। ଏହା ତିନି ପିଢ଼ିର ବଳିଦାନ ପରେ ସଫଳ ହୋଇପାରିଛି ବୋଲି ସେ କହିଛନ୍ତି।
ଏଣିକି ପାକିସ୍ତାନ ଅଧିକୃତ କଶ୍ମୀର କିଭଳି ଭାବରେ ଭାରତରେ ସାମିଲ୍ ହେବ ସେ ନେଇ ସକାରାତ୍ମକ ଭାବରେ ଚିନ୍ତା କରିବା ଦରକାର ଏବଂ ୧୯୯୪ର ସର୍ବସମ୍ମତ ପ୍ରସ୍ତାବ ଅନୁସାରେ ଦେଶର ଅଭିନ୍ନ ଅଙ୍ଗ ଭାବରେ ପିଓକେ ସାମିଲ୍ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। କେନ୍ଦ୍ର ସରକାର ବ୍ୟାପକ ଅନୁସନ୍ଧାନ ଓ ବିଚାର ବିମର୍ଷ କରିବା ପରେ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ପରିଣତ କରିଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଅନେକ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ଜମ୍ମୁ କଶ୍ମୀରର ସମ୍ୱିଧାନ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ମଧ୍ୟ ରାଜନାଥ ସିଂହ ହରିଆନାର ପୁଞ୍ଚକୁଲାରେ ଏକି ନିର୍ବାଚନୀ ସଭାରେ ଉଦବୋଧନ ଦେବା ବେଳେ କହିଥିଲେ ଆଗାମୀ ଦିନରେ ଭାରତ ପାକିସ୍ତାନ ସହ ପିଓକେ ବାବଦରେ କଥା ହେବ।