ଇସଲାମର ଆଗମନ ପରେ ଭାରତରେ ଅଛୁଆଁ ପ୍ରଥା ଆରମ୍ଭ: କୃଷ୍ଣ ଗୋପାଳ

ନୂଆଦିଲ୍ଲୀ: ଭାତରକୁ ଇସଲମା ଆସିବା ପରେ ଅଛୁଆଁ ବା ଅସ୍ପୃଶ୍ୟତା ପ୍ରଥାର ଆରମ୍ଭ ହୋଇଥିଲା ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସଂଯୁକ୍ତ ମହାସଚିବ କୃଷ୍ଣ ଗୋପାଳ କହିଛନ୍ତି। ସେହିପରି ଦେଶରେ ଦଳିତ ଶବ୍ଦ କ’ଣ ଜଣାନଥିଲା, ଏହା ବ୍ରିଟିଶ ଲୋକଙ୍କ ଷଡ଼ଯନ୍ତ୍ର ‘ବାଣ୍ଟ ଏବଂ ଶାସନ କର’ ନୀତରୁ ସୃଷ୍ଟି କରାଯାଇଥିଲା ବୋଲି ସେ କହିଛନ୍ତି। ‘ଭାରତରେ ରାଜନୈତିକ ଉତ୍ତରାୟଣ ଏବଂ ଭାରତରେ ଦଳିତ ବିମର୍ଶ’ ପୁସ୍ତକ ଉନ୍ମୋଚନ ଅବସରରେ ସୋମବାର ଗୃଷ୍ଣ ଗୋପାଳ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଉପସ୍ଥିତ ଥିଲେ।
କୃଷ୍ଣ ଗୋପାଳ କହିଥିଲେ ଯେ ଆରଏସଏସ ଜାତି ବିହୀନ ସମାଜକୁ ସମର୍ଥନ କରୁଛି। ଅଛୁଆଁ ପ୍ରଥାର ପ୍ରଥମ ଉଦାହରଣ ଇସଲାମର ଆଗମନ ପରେ ଦେଖିବାକୁ ମିଳିଥିଲା। ରାଜା ଦାହିର (ସିନ୍ଧୁର ଶେଷ ହିନ୍ଦୁ ରାଜା)ଙ୍କ ରାଣୀମାନେ ଜୋହର (ନିଆଁରେ ଜଳି ଆତ୍ମହତ୍ୟା କରିବା) ବେଳେ ମ୍ଲେଚ୍ଛ ଶବ୍ଦର ପ୍ରୟୋଗ କରିଥିଲେ। ମ୍ଲେଚ୍ଛଙ୍କ ସ୍ପର୍ଶରୁ ବଞ୍ଚିବା ପାଇଁ ସେମାନେ ଆତ୍ମହତ୍ୟା ବା ଜୋହର କରିବାକୁ ଚାହୁଁଥିବା କହିଥିଲେ। ଏହା ଭାରତରେ ଅସ୍ପୃଶ୍ୟତାର ପ୍ରଥମ ଉଦାହରଣ ଥିଲା।
ଏକଦା ମୌର୍ଯ୍ୟ ଉଚ୍ଚ ଜାତି ଥିଲା। ଏବେ ତାହା ପଛୁଆ ବର୍ଗର ଜାତି ହୋଇଯାଇଛି। ସେହିପରି ଦିନେ ପାଳ ବଙ୍ଗଳାର ରାଜା ଥିଲେ, କିନ୍ତୁ ଆଜି ପଛୁଆ ବର୍ଗରେ ଅଛନ୍ତି। ଗୌତମ ବୁଦ୍ଧଙ୍କ ଜାତି ଶାକ୍ୟ ଏବେ ପଛୁଆ ବର୍ଗ ଶ୍ରେଣୀରେ ରହିଛି। ଆମ ସମାଜରେ ଦଳିତ ଶବ୍ଦ ହିଁ ନଥିଲା। ଜାତି ଓ ଧର୍ମରେ ବାଣ୍ଟି ଆମକୁ ଶାସନ କରିବା ପାଇଁ ବ୍ରିଟିଶ ଲୋକ ‘ଦଳିତ’ ଶବ୍ଦର ସୃଷ୍ଟି କରିଥିଲେ। ଏପରିକି ସମ୍ବିଧାନ ସଭାରେ ଦଳିତ ବଦଳରେ ଅନୁସୂଚିତ ଜାତି ଶବ୍ଦର ବ୍ୟବହାର କରିଥିଲା। ଗୋ ମାଂସ ଖାଉଥିବା ଲୋକଙ୍କୁ ଦେଶରେ ଅସ୍ପୃଶ୍ୟ ବିବେଚନା କରାଯାଉଥିଲା ଓ ଏହା ବିଆର ଆମ୍ବେଦକର ମଧ୍ୟ ଲେଖିଛନ୍ତି। ଏହା ଧୀରେ ଧୀରେ ସମାଜରେ ପ୍ରସାରିତ ହୋଇଥିଲା ଏବଂ ସମାଜର ଏକ ବଡ଼ ଅଂଶକୁ ଅସ୍ପୃଶ୍ୟ ଘୋଷିତ କରିଦିଆଗଲା। ଦୀର୍ଘ ଦିନ ସେମାନଙ୍କୁ ଉତ୍ପୀଡ଼ନ ଏବଂ ଅପମାନିତ କରାଗଲା। ରାମାୟଣ ଲେଖିଥିବା ମହର୍ଷି ବାଲ୍ମୀକୀ ଦଳିତ ନୁହେଁ ଜଣେ ଶୁଦ୍ର ଥିଲେ ଏବଂ ସେ ଜଣେ ମହାନ ଋଷି ମଧ୍ୟ ଥିଲେ। ସମାଜରେ ତାଙ୍କର ବହୁ ସମ୍ମାନ ଥିଲା।