Odisha Link
Bridging the Missing Links in Odisha

ବଦଳୁଛି ପୁରୀର ରୂପ

ପୁରୀ: ଉଚ୍ଛେଦ ପ୍ରକ୍ରିୟାର କି ସୁଫଳ ପଡ଼ିବ, ତାହା ଧୀରେ ଧୀରେ ପରିଲକ୍ଷିତ ହେବାରେ ଲାଗିଛି। ଯାହାର ଝଲକ ମଧ୍ୟ ସାଧାରଣ ଜନତା ଦେଖିବାକୁ ପାଉଛନ୍ତି। ଫଳରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଧିରେ ଧିରେ ସମର୍ଥନ ମିଳୁଥିବା ଦେଖାଯାଉଛି। ରୂପାନ୍ତରିତ ପୁରୀର ନୂଆ ରୂପ। ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି। ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡ଼ା ହୋଇଛି। ପ୍ରଶସ୍ତ ବଡ଼ଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ ଉନ୍ନତ ସହରର ଭ୍ରମ ସୃଷ୍ଟି କରୁଥାଇପାରେ। କିନ୍ତୁ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ପରିକଳ୍ପନା କରାଯାଇଥିବା ବିଶ୍ୱସ୍ତରୀୟ ଐତିହ୍ୟ ସହରର ଏକ ଝଲକ ମାତ୍ର।
ପୁରୀର ରୂପାନ୍ତରଣ କାର୍ଯ୍ୟ ଏତିକିରେ ଶେଷ ହୋଇନି। କାମ ଜାରି ରହିଛି। ଐତିହ୍ୟ ସହର ଗଠନର କାମ ସରିବା ପରେ ତାହା ପର୍ଯ୍ୟଟକ ଓ ଦେଖଣାହାରୀଙ୍କ ଆଖି ଝଲସେଇ ଦେବ। ଆଉ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବାର କଳଳ୍ପନା ମୁଖ୍ୟମନ୍ତ୍ରୀଙ୍କର ହୋଇଥିଲେ ବି ଏଥିରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ସରକାର ମିଶନ ମୋଡରେ ଏହି କାମ ଆଗେଇ ନେଉଥିବାବେଳେ ପୁରୀବାସୀ ଏହି କାର୍ଯ୍ୟକୁ ନିଜର ଉତ୍ତରଦାୟିତ୍ୱଭାବେ ଗ୍ରହଣ କରି ସହଯୋଗ କରୁଛନ୍ତି।
କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ। ପ୍ରକୃତରେ ରୂପାନ୍ତରଣ ପ୍ରକ୍ରିୟାରେ ଥିବା ପୁରୀର ଏହି ଫଟୋକୁ ଦେଖିଲେ ଭବିଷ୍ୟତର ରୂପରେଖ ସ୍ପଷ୍ଟ ବାରି ହେଉଛି। ଏହା କୌଣସି ଚିତ୍ରକରର ଭାବନା ନୁହେଁ କି ମିଛ ଗ୍ରାଫିକ୍ସ ନୁହେଁ। ଯେଉଁ କାର୍ଯ୍ୟ ବର୍ଷ ବର୍ଷ ଧରି ହୋଇପାରୁନଥିଲା ଏବେ ପୁରୀ ପ୍ରଶାସନ ସହରକୁ ଦର୍ଶନୀୟ ଓ ସୁନ୍ଦର କରିବାକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଲାଗିଛନ୍ତି। କେବଳ ପୁରୀର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ନୁହେଁ, ଏହାକୁ ଏକ ବିଶ୍ୱସ୍ତରୀୟ ସାଂସ୍କୃତିକ କ୍ଷେତ୍ରଭାବେ ଗଢି ତୋଳିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ମାତ୍ର କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିପାଖରୁ ଅବରୋଧ ଓ ନିର୍ମାଣ ହଟିବା ପରେ ଶ୍ରୀମନ୍ଦିରର ଏକ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି। ମେଘଦାନ ପ୍ରାଚୀର ଚାରିପଟ ରାସ୍ତା ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଶ୍ରୀମନ୍ଦିର ଚାରିପଟେ ଥିବା ବେଆଇନ ଓ ଭଗ୍ନପ୍ରାୟ ନିର୍ମାଣ ଗୁଡ଼ିକ ହଟେଇ ଦିଆଯାଇଛି। ଏହା ଦ୍ୱାରା ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ବିରାଟ ଖାଲି ଯାଗା ସୃଷ୍ଟି ହୋଇପାରିଛି। ଏଠାରେ ବର୍ତ୍ତମାନ ପାର୍କିଂ, ଟ୍ରାଫିକ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଖାଲି ସ୍ଥାନ ସୃଷ୍ଟି ହୋଇଛି। ଫଳରେ ଶ୍ରୀଗଜନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସୁରୁଖୁରୁରେ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ।
ତିରୁପତି, ଶିରିଡ଼ି ଓ ଅମୃତସର ଭଳି ଦେଶର ଅନ୍ୟ ଉନ୍ନତ ଧାର୍ମିକ ସହର ସହ ତୁଳନା କଲେ ବିଗତ ବର୍ଷଗୁଡ଼ିକରେ ପୁରୀର ଭିତ୍ତିଭୂମି ବିକାଶ ପାଇଁ ବିଶେଷ କିଛି କାର୍ଯ୍ୟ ହୋଇନହିଁ। ଏବେ କିନ୍ତୁ ପୁରୀକୁ ବିଶ୍ୱସ୍ତରୀୟ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଦ୍ରୁତ ରୂପାନ୍ତରଣ କାର୍ଯ୍ୟ ଚାଲିଛି।

Comments are closed.