Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ବେହାଲ ଗଞ୍ଜାମ

ଗଞ୍ଜାମ : ଲଗାଣ ବର୍ଷାରେ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଗାଁ, ଘର, ସ୍କୁଲ ଭିତକୁ ମାଡ଼ି ଯାଇଛି। ଜନ ଜୀବନ ଅସ୍ତବ୍ଯସ୍ତ ହୋଇପଡିଛି। ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ହିଞିଳି କାଟୁ, ଆସିକା, ସାନଖେମୁଣ୍ଡି, ଧରାକୋଟ୍, ଭଞ୍ଜନଗର, ପାତ୍ରପୁର, ଚିକିଟି, ଖଲ୍ଲିକୋଟ୍, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ପ୍ରମୁଖ ଅଞ୍ଚଳରେ ପାଣି ଜମି କୁତ୍ରିମ ବନ୍ୟା ସୃଷ୍ଟି କରିଛି।
ହିଂଜିଳିକାଟୁ, ପୋଚିଲିମା ଛକ, ମକର ଝୋଳ, ବ୍ରହ୍ମପୁର, ଆସ୍କା ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସାନଖେମୁଣ୍ଡି କରାଖଣ୍ଡି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଛି। ପ୍ରତ୍ୟେକ ଘରେ ପାଣି ପଶିଛି। ପାଟପୁର ନୋଡାଲ ସ୍କୁଲ ରେ ମଧ୍ୟ ପାଣି ପଶିଛି। ଏହା ସହ ସାନଖେମୁଣ୍ଡି ଆଡପଡାର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି। ବ୍ରିଟିଶ ଅମଳର ସାନଖେମୁଣ୍ଡି ବୁଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ପୋଚକା ନାଳର ସେତୁ ଭାଙ୍ଗି ଯାଇଛି। ଫଳରେ ଆସିକା-ଶେରଗଡ-ଦିଗପହଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଘଟଣାସ୍ଥଳରେ ପାଟପୁର ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପୋଲ ଧୋଇ ହୋଇଯିବାରୁ ଏଥିରେ ତିନି ଜଣ ଯୁବକ ଭାସି ଯାଇଥିଲେ। ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମୋଟରସାଇକେଲ ପାଣିରେ ଭାସି ଯାଇଛି। ତିନିଜଣ ଆହାତ ହୋଇ ନିକଟସ୍ଥ ଆଡପଡା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଏଭଳି ଘଟଣାରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା କହିଛନ୍ତି।
ଏପଟେ ଗଞ୍ଜାମ ଜିଲ୍ଲାରେ ବର୍ଷାର ବିତ୍ପାତ ଦେଖାଦେଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments are closed.