ଓଡ଼ିଆ ପୁଅ ପ୍ରମୋଦ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ : ଦିଲ୍ଲୀ ଦରବାରରେ ଏଣିକି ରହିବ ଓଡ଼ିଆ ପୁଅଙ୍କ ଦବଦବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ ମିଶ୍ର। ବରିଷ୍ଠ ଆଇଏଏସ ଅଫିସର ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ମୋଦିଙ୍କ ସବୁଠୁ ବିଶ୍ୱସ୍ତ ଅଫିସର ଭାବେ ପ୍ରମୋଦ ଜଣାଶୁଣା। ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜୁରାଟର ପ୍ରମୁଖ ଶାସନ ସଚିବ ରହିଥିଲେ। ଆଉ ଏହି ସମୟରୁ ହିଁ ମୋଦିଙ୍କ ବିଶ୍ୱସ୍ତ ଅଫିସରଙ୍କ ତାଲିକାରେ ଯୋଡି ହୋଇଥିଲା ପ୍ରମୋଦଙ୍କ ନାଁ।ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
ଏହାପୂର୍ବରୁ ଦେଶରେ ପ୍ରଭାବଶାଳୀ ପ୍ରଶାସକଙ୍କ ତାଲିକାରେ ମଧ୍ୟ ସବୁଠୁ ଆଗରେ ରହିଥିଲେ ପ୍ରମୋଦ। ବ୍ୟୁରୋକ୍ରେସି ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଅନ୍ୟ ପ୍ରଶାସକଙ୍କୁ ପଛରେ ପକାଇ ଶୀର୍ଷରେ ରହିଥିଲେ ଓଡ଼ିଆ ପୁଅ ପ୍ରମୋଦ। ନିଜ କାର୍ଯ୍ୟଦକ୍ଷତା ବଳରେ ମୋଦି ସରକାରଙ୍କ ମନ ଜିଣିଥିବା ପ୍ରମୋଦଙ୍କ ଜନ୍ମ ଓଡ଼ିଶାର ସମ୍ବଲପୁରରେ। ପ୍ରମୋଦ ଜିଏମ କଲେଜରେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ଆଉ ଏହାପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ଓଡ଼ିଶାରେ ମଧ୍ୟ କିଛି ଦିନ ପାଇଁ କାମ କରିଥିଲେ। ମୋଦି ସରକାରଙ୍କ ଏହି ଟାଣୁଆ ଅଫିସର ବିପର୍ଯ୍ୟୟ ପରିଚାଳନା ପାଇଁ ଏହା ପୂର୍ବରୁ ଜାତିସଂଘ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି।