Odisha Link
Bridging the Missing Links in Odisha

ଦଳିତ ବିଜେପି ସାଂସଦଙ୍କୁ ମନ୍ଦିର ମନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ  ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚିତ୍ରଦୁର୍ଗର ବିଜେପି ସାଂସଦ ଜଣେ ଦଳିତ ହୋଇଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ମନ୍ଦିରରେ ତାଙ୍କୁ ପୂରାଇ ଦିଆଯାଉ ନାହିଁ । ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ନାରାୟଣସ୍ୱାମୀ ଆଜି ତୁମାକୁରୁ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀଙ୍କ ସହ ଗସ୍ତ କରିଥିଲେ। ଏହି ଅବସରରେ ନିକଟସ୍ଥ ପାୱାଗଡ଼ା ଗ୍ରାମର ଏକ ମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ସାଂସଦ ବାହାରିଥିଲେ। ତେବେ ସ୍ଥାନୀୟ ଯାଦବ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଗ୍ରାମ ନିକଟରେ ଘେରିଯିବା ସହ ସେ ‘ଅଛୁଆଁ’ ହୋଇଥିବାରୁ ତାଙ୍କୁ ମନ୍ଦିରରେ ପଶିବାକୁ ଦିଆଯିବ ନାହିଁ ବୋଲି କହିଥିଲେ।

ଯାଦବ ସମ୍ପ୍ରଦାୟର ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ସାଂସଦ ମନ୍ଦିରକୁ ଯାଇ ନପାରି ଫେରି ଆସିଥିଲେ। ପରମ୍ପରା ଅନୁଯାୟୀ ତାଙ୍କୁ ମନ୍ଦିର ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି ସବର୍ଣ୍ଣମାନେ ଜିଦ୍ ଧରିଥିଲେ। ଏହି ଘଟଣାକୁ ନେଇ ଦଳିତ ସମ୍ପ୍ରଦାୟରେ ଉତ୍ତେଜନା ଦେଖିବାକୁ ମିଳିଛି। ନାରାୟଣସ୍ୱାମୀ ତାଙ୍କ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ । ତେବେ ଯେଉଁ ଗ୍ରାମରେ ଘଟଣାଟି ଘଟିଛି ସେଠାକୁ ସେ ଏକ ରାସ୍ତା ନିର୍ମାଣ ଯୋଜନା ଏବଂ ସ୍ୱଚ୍ଛ ପାନୀୟ ଜଳ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯାଇଥିଲେ। ଏହି ସମୟରେ ସେ ଗ୍ରାମର ଏକ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Comments are closed.