Odisha Link
Bridging the Missing Links in Odisha

୨୦୨୦ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ଭିନେଶ୍‌ ଫୋଗଟ୍‌

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କଲେ ଭାରତର ଷ୍ଟାର୍ ରେସଲର୍ ଭିନେଶ ଫୋଗଟ୍। ଆଜି ସେ କଜାଖସ୍ତାନର ନୁର୍-ସୁଲତାନରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ୫୩ କେଜି ବର୍ଗରେ ବିଶ୍ୱର ଏକ ନମ୍ବର ରେସଲର୍ ଆମେରିକାର ସାରା ହିଲ୍ଡେବ୍ରାଣ୍ଡଙ୍କୁ ହରାଇଛନ୍ତି। ଏଥିସହ ସେ ଭାରତର ପ୍ରଥମ ମହିଳା ରେସଲର୍ ଭାବେ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ କ୍ରୀଡ଼ା ପାଇଁ କ୍ୱାଲିଫାଏ କରିଛନ୍ତି।

ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ୨୫ ବର୍ଷୀୟା ଭିନେଶ ରିପିଚେଜର ଦ୍ୱିତୀୟ ରାଉଣ୍ଡରେ ଆମେରିକାର ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮-୨ରେ ପରାସ୍ତ କରି ଅଲିମ୍ପିକରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏହାସହ ସେ ଚାମ୍ପିୟନଶିପର ବ୍ରୋଞ୍ଜ ପଦକ ମୁକାବିଲାରେ ମଧ୍ୟ ସ୍ଥାନ ହାସଲ କରିଛନ୍ତି। ପରବର୍ତ୍ତୀ ଅଲିମ୍ପିକ୍ ଟୋକିଓରେ ୨୦୨୦ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ। ବ୍ରୋଞ୍ଜ ପଦକ ମୁକାବିଲାରେ ଭିନେଶଙ୍କ ସାମ୍ନା ଗ୍ରୀସର ମାରିଆ ପ୍ରିଭୋଲାରାକିଙ୍କ ସହ ହେବ।

ଏହା ପୂର୍ବରୁ ୫୩ କେଜି ବର୍ଗରେ ଅଲିମ୍ପିକ୍ କୋଟା ଏବଂ ବ୍ରୋଞ୍ଜ ପଦକ ଦୌଡ଼ରେ ରହିବା ପାଇଁ ଭିନେଶ ରିପିଚେଜର ପ୍ରଥମ ରାଉଣ୍ଡରେ ୟୁକ୍ରେନର ୟୁଲିୟା ଖାଲଭାଦଜିଙ୍କୁ ୫-୦ରେ ପରାସ୍ତ କରିଥିଲେ। ତେବେ ଦ୍ୱିତୀୟ ମୁକାବିଲା ଜିତିବା ପରେ ଭିନେଶ କହିଥିଲେ, ମୁଁ ବହୁତ ଖୁସି ଏବଂ ଅଲିମ୍ପିକକୁ କ୍ୱାଲିଫାଏ କରିଥିବାରୁ ସାମାନ୍ୟ ଆଶ୍ୱସ୍ତି ଅନୁଭୂତ କରୁଛି। କିନ୍ତୁ ଏବେ ଚ୍ୟାଲେଞ୍ଜ ଶେଷ ହୋଇନାହିଁ। ମୁଁ ଏବେ ପଦକ ପାଇଁ ଲଢ଼ିବି ଏବଂ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହେଁ ନାହିଁ।

Comments are closed.