Odisha Link
Bridging the Missing Links in Odisha

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୧୭ ସାଂସଦ ପ୍ରାର୍ଥୀ କୋଟିପତି, ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତୁ ?

ଓଏଲ୍‌ ବ୍ୟୁରୋ: ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଏଥିପାଇଁ ସାରା ରାଜ୍ୟରେ ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏସବୁ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଯାହା ଏବେ ଚର୍ଚ୍ଚାରେ।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏଡିଆର ଓ ଓଡ଼ିଶା ଇଲେକସନ ଓ୍ବାଚ ତଥ୍ୟ ପ୍ରକାଶ କରିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନରେ ୩୭ ପ୍ରାର୍ଥୀଙ୍କ ଚିଠା ଖୋଲିଛି ଏଡିଆର ରିପୋର୍ଟ। ସବୁଠୁ ବଡ଼କଥା ହେଲା ୩୭ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ ପ୍ରାର୍ଥୀ କୋଟିପତି।କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୀ ଧନୀ ପ୍ରାର୍ଥୀ । ତାଙ୍କର ୪୧କୋଟି ୮୯ଲକ୍ଷ ଟଙ୍କାର ସମ୍ପତି ରହିଛି । ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ । କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ । ତାଙ୍କର ବ୍ୟାଙ୍କ ଖାତାରେ ରହିଛି ମାତ୍ର ୨୦ ହଜାର ୬୨୫ ଟଙ୍କା।

ରିପୋର୍ଟ ତଥ୍ୟ ମୁତାବକ, ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ଭିତରୁ ୧୯ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା। ଅର୍ଥାତ ୭ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧ ମାମଲା ରହିଛି। ୬ ଜଣଙ୍କ ନାଁରେ ରହିଛି ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ମହିଳା ବିରୋଧୀ ଅପରାଧ, ଲାଞ୍ଚ ନେବା ଭଳି ଗୁରୁତର ମାମଲା।

ମେ’ ୧୩ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲଢ଼େଇରେ ଭାଗ୍ୟ ପରୀକ୍ଷା କରାଇବେ ୭ ମହିଳା ପ୍ରାର୍ଥୀ। ୨୫ ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟିଂ ହେବ।

Leave A Reply

Your email address will not be published.