Odisha Link
Bridging the Missing Links in Odisha

ନିମାପଡ଼ା: ବିଜେଡିରୁ ସାମୂହିକ ଇସ୍ତଫା ଦେଲେ ସମୀର ଦାଶଙ୍କ ସମର୍ଥକ

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଦିଲ୍ଲୀପ ନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଆଜି ସମୀର ଦାଶଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସେମାନେ। ଯାହା ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭାର ଆୟୋଜନ କରିଥିବେ ସମୀର ଦାଶଙ୍କ ସମର୍ଥକ। ସଭାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ। ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ସାମୁହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ ବିଜେଡି କର୍ମୀ। ଅନ୍ୟପଟେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ନାହାନ୍ତି ନିମାପଡ଼ା ବିଧାୟକ ସମୀର ଦାଶ।

ସୂଚନାଥାଉକି, ସମୀର ରଞ୍ଜନ ଦାଶ ଲଗାତାର ଭାବେ ନିମାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଟିକଟ ମିଳିବ ବୋଲି ଭାବିଥିଲେ ଶ୍ରୀ ଦାଶ। ହେଲେ ବିଜେଡି ସୁପ୍ରିମୋ ତାଙ୍କୁ ଚକ୍‌ମା ଦେଇ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସମୀର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ନିଜର ସମର୍ଥକଙ୍କୁ ଧରି ଏକ ବିରାଟ ସମାବେଶ କରିଥିଲେ। ଯେଉଁ ୩୦ ହଜାରୁ ଅଧିକ ଲୋକ ସାମିଲ୍‌ ହୋଇଥିଲେ।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି।

Leave A Reply

Your email address will not be published.