Odisha Link
Bridging the Missing Links in Odisha

ନକ୍ସଲଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ: ମାଓ କ୍ୟାମ୍ପରୁ ଖସି ଆସିଲେ ଅପହୃତ ବଣ୍ଡା ଯୁବକ

ମାଲକାନଗିରି: ମାଓ ସଂଗଠନ ଉପରେ ମାନ୍ଦାବସ୍ଥାର ପ୍ରଭାବ। ଟଙ୍କା ଅଭାବ ଯୋଗୁଁ ଦୈନନ୍ଦିନ ସାମଗ୍ରୀ ବି କିଣିପାରୁ ନାହାନ୍ତି। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଯୋଜନା କରୁଛନ୍ତି। ଦାଦାବଟି ସାଙ୍ଗକୁ ଅନ୍ୟାନ୍ୟ ସୂତ୍ରରୁ ଟଙ୍କା କିଭଳି ମିଳିବ ସେଥିପାଇଁ ଘୂରି ବୁଲୁଛନ୍ତି। ମାଓ କ୍ୟାମ୍ପରୁ ଜଣେ ବଣ୍ଡା ଯୁବକ ଖସି ଆସିବା ପରେ ଏହା ସ୍ପଷ୍ଟ ହୋଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ପଞ୍ଚାୟତର ଜଣେ ଯୁବକଙ୍କୁ ଦୁଇ ଦିନ ତଳେ ମାଓବାଦୀ ଅପହରଣ କରି ନେଇଥିଲେ। ଯୁବକ ଜଣକ ହେଲେ ବଣ୍ଡାଘାଟି ଫୁରସୁଗୁଡା ଗାଁର ଭାସ୍କର କିରସାନି। ସେ ଜାଳେଣି କାଠ ସଂଗ୍ରହ କରିବାକୁ ଗାଁ ଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଯାଇଥିଲେ। ହଠାତ୍ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଜୋର ଜବରଦସ୍ତ ନକ୍ସଲ ତାଙ୍କୁ ସାଥୀରେ ନେଇ ଯାଇଥିଲେ। ଦୁଇ ଧରି ଘଞ୍ଚ ଜଙ୍ଗଲରେ ରଖିଥିଲେ। ବିଭିନ୍ନ ବିଷୟରେ ପଚାରିବା ସହ ସେହି ଅଞ୍ଚଳର ସାହୁକାର, ଜମିଦାର ଏବଂ ଠିକାଦାରଙ୍କ ସଂପର୍କରେ ବିସ୍ତୃତ ବିବରଣୀ ମାଗିଥିଲେ। ତେବେ ଭାସ୍କର ଏସବୁ ବିଷୟରେ କିଛି ଜାଣିନଥିବା କହିଥିଲେ। ଏଥିରେ କ୍ରୋଧିତ ନକ୍ସଲ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାରମ୍ବାର ଗୋଟିଏ କଥାକୁ ପଚାରିବା ପରେ ସମାନ ଉତ୍ତର ଶୁଣି ଦିନ ତମାମ ପିଟିଥିଲେ। ଏଥିରେ ଭାସ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ସେ କିଛି ଜାଣି ନଥିବାରୁ ଛାଡ଼ି ଦେବାକୁ ନେହୁରା ହୋଇଥିଲା। ତଥାପି ନକ୍ସଲ ତାଙ୍କୁ ନଛାଡ଼ି ଛୋଟମୋଟ କାମରେ ନିୟୋଜିତ କରିଥିଲେ। ଖାଇ ସାରିବା ପରେ ଅଇଁଠା ବାସନ ମାଜିବାକୁ ବି ଦେଇଥିଲେ। ଭାସ୍କର ବାସନ ଧୋଇବା ଆଳରେ ସେଠାରୁ ଖସି ଚାଲି ଆସିଥିଲା। ଜଂଗଲରେ ପ୍ରାୟ ୧୫ କିଲୋମିଟର ବାଟ ଦୌଡି ଦୌଡି ନିଜ ଗାଁ ଫୁରସାଗୁଡାରେ ପହଞ୍ଚିଥିଲେ।

Comments are closed.