୩୦ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବେ। ଆଜି ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ନବୀନ ନିବାସରେ ବିଜେପୁର ନେଇ ବିଜେଡିର ବୈଠକ ବସିଥିଲା। ଏଥିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି। ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଆଶୀୟ ପ୍ରାର୍ଥୀଙ୍କ ତାଲିକା ଦଳୀୟ ସୁପ୍ରିମୋଙ୍କୁ ଦିଆଯାଇଛି। ବିଜେପୁର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡିରେ ଦ୍ୱିତୀୟ ଥର ଲାଗି ବୈଠକ ବସିଥିଲା। ବିଜେପୁରରେ ଆସନ୍ତା ଅକୋ୍ଟବର ୨୧ରେ ନିର୍ବାଚନ ଓ ୨୪ରେ ଫଳାଫଳ ଘୋଷଣା ହେବ।
ତେବେ ବିଜେପୁର ଆସନରୁ ପ୍ରାର୍ଥୀ ହେବାକୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରମୁଖ ଦାବିଦାର ଥିବା ବେଳେ ବରଗଡର ପୂର୍ବତନ ବିଜେଡି ସାଂସଦ ପ୍ରଭାସ କୁମାର ସିଂହ ଏହି ଆସନ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଭାସ ସିଂହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍ କରି ଅନୁରୋଧ ମଧ୍ୟ କରିଛନ୍ତି। ପ୍ରଭାସ ବରଗଡ ଆସନରୁ ୨୦୧୪-୧୯ ପର୍ଯ୍ୟନ୍ତ ଲୋକସଭାରୁ ପ୍ରତିନିଧିତ୍ୱ କରୁଥିଲେ। ୨୦୧୯ ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଟିକେଟ ମିଳିନଥିଲା। ତେବେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ଉପନିର୍ବାଚନ ପାଇଁ ସେ ଲଢିବାକୁ ରାଜ୍ୟ ସଭାପତିଙ୍କୁ ଜଣାଇଛନ୍ତି।
ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ନାମାଙ୍କପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନୀବନ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବେ ଅନୁଧ୍ୟାନ କରୁଛନ୍ତି । ବିଜେପୁର ନିର୍ବାଚନ ପାଇଁ ଗଠିତ ସମନ୍ୱୟ କମିଟି ଇତିମଧ୍ୟରେ ତୃଣମୂଳ ସ୍ତରରେ ସର୍ଭେ ରିପୋର୍ଟ ଅନୁଧ୍ୟାନ କରି ନବୀନଙ୍କ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଇସାରିଛନ୍ତି। ତେବେ ଖୁବ୍ ଶୀଘ୍ର ବିଜେଡି ତାର ବିଜେପୁର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।