Odisha Link
Bridging the Missing Links in Odisha

୩ ମାସ ଯାଏଁ ଯାଞ୍ଚ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ ଯାଞ୍ଚକୁ ନେଇ ଡରୁଥିବା ସାଧାରଣ ଲୋକଙ୍କୁ ପୁଣି ଏକ ଆଶ୍ୱସ୍ତିକର ଖବର। ଆସନ୍ତା ୩ ମାସ ଯାଏଁ ପଲ୍ୟୁସନ ଓ ଇଂସୁରାନ୍ସ ଯାଞ୍ଚ ହେବ ନାହିଁ। ବୁଧବାର ପୁଣି ଏହା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୩ ମାସ ଯାଏଁ ପଲ୍ୟୁସନ ଓ ଇଂସୁରାନ୍ସ ଯାଞ୍ଚ ହେବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ପହିଲାରୁ ପଲ୍ୟୁସନ ଅନଲାଇନରେ ହେବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯକାରୀ ହେବା ପରେ ଚାରିଆଡେ଼ ଚାଲିଥିଲା ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଥିଲା ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଥିଲେ। ତେବେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା। ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବଡ଼ ଘୋଷଣା କରିଥିଲେ।
ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହିପରି କଠୋର ନହୋଇ ଜନସାଧାରଣଙ୍କୁ ବୁଝାଇବାକୁ ମଧ୍ୟ କହିଥିଲେ। ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଟ୍ରାଫିକ ନିମୟକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ତେବେ ଟ୍ରାଫିକ ଡକ୍ୟୁମେଣ୍ଟ ୩ ମାସ କୋହଳ ସମ୍ପର୍କିତ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ ମାନବାଧିକାର କମିଶନ। ଏହି ସମୟ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ ସେଥିପାଇଁ କିଏ ଦାୟୀ ହେବ ବୋଲି କମିଶନ ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ ଲାଇସେନ୍ସ ଓ ବୀମା ନଥିବା ବ୍ୟକ୍ତି ୩ ମାସ ଗାଡ଼ି ଚଳାଇପାରିବେ କି ବୋଲି ପ୍ରଶ୍ନ କରିଥିଲେ। ଏହାଛଡ଼ା ଏହି ୩ ମାସ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ କିଏ ଦାୟୀ। ଡକ୍ୟୁମେଣ୍ଟ ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ। ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ବୋଲି ମାନବାଧିକାର କମିଶନ ପ୍ରଶ୍ନ କରିଥିଲେ।

Comments are closed.