Odisha Link
Bridging the Missing Links in Odisha

ମୁଁ ଯଦି ଜେଲ ଗଲି ଖୁସି ହେବି

ମୁମ୍ୱାଇ: ମୁଁ ଯଦି ଜେଲ ଗଲି ତାହେଲେ ଖୁସି ହେବି। ମୁଁ ଜେଲ୍ ଯିବାକୁ ପ୍ରସ୍ତୁତ ରହିଛି। ଏପରି କହିଛନ୍ତି ଜାତୀୟ କଂଗ୍ରେସ ପାର୍ଟି(ଏନସିପି)ର ମୁଖିଆ ଶରଦ ପାଓ୍ବାର। ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି। ଯାହାକି ନିର୍ବାଚନୀ ପ୍ରଚାର ବେଳେ ରାଜନୀତିକୁ ଆହୁରି ରୋଚକ କରିଛି।

ସେ କହିଛନ୍ତି ‘ମୁଁ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ସହ ଜଡ଼ିତ ନଥିବା ସତ୍ତ୍ୱେ ମୋ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ମୋର ନ୍ୟାୟଳୟ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥୁବାରୁ ମୁଁ ଧନ୍ୟବାଦ ଜଣାଉଛି’।

ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ୨୫ ହଜାର କୋଟି ଟଙ୍କାର ବେଆଇନ ଋଣ ଦିଆଯାଇଥିବା ମାମଲାରେ ନିକଟରେ ବମ୍ୱେ ହାଇକୋର୍ଟ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଓ ଅନ୍ୟ ୭୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଇଡି ମାମଲା ଦାୟର କରିଛି। ଏହି ମାମଲାରେ ମହାରାଷ୍ଟ୍ର ‌ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ, ଏମ୍‌ଡି ଏବଂ ନିର୍ଦ୍ଦେଶକମାନଙ୍କ ନାଁ ମଧ୍ୟ ରହିଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଆରମ୍ଭରୁ ଏନସିପି ନେତାଙ୍କ ଅଧୀନରେ ରହି ଆସିଛି। ଯାହାର ବୋର୍ଡ ସଦସ୍ୟରେ ଏନସିପି ନେତାଙ୍କ ପ୍ରଭାବ ରହିଛି। ଅନେକ ଚିନି କଳ ଏବଂ ସୁତାକଳ ମାଲିକଙ୍କୁ ଏହି ବ୍ୟାଙ୍କରୁ ଋଣ ଦିଆଯାଇଛି। ଯାହାକି ଆରବିଆଇ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଥିଲା। ଯେଉଁମାନେ ଋଣ ପ୍ରଦାନ କରିଛନ୍ତି ପରୋକ୍ଷରେ ଚିନି କଳ ମାଲିକଙ୍କ ସହ ଜଡ଼ିତ ବୋଲି ଜଣାପଡ଼ିଛି।

Comments are closed.