Odisha Link
Bridging the Missing Links in Odisha

ଅଭିଯୋଗ ଭିତ୍ତିହୀନ: ଦିବ୍ୟଶଙ୍କର

ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହାଛଡ଼ା ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା। ପୁଲିସ ତାର ଦାୟିତ୍ୱ ଶତପ୍ରତିଶତ ନିର୍ବାହ କରୁଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ପ୍ରକାଶ ଯେ, ଗଣଦୁଷ୍କର୍ମ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ କରିଥିଲେ। ଏଥିସହ ପୀଡ଼ିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୁଲିସ କାହିଁକି ଛାଡ଼ିଲା ତାର ଖୁଲାସା କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଥିଲେ।
ସେ କହିଥିଲେ ଯେ, ଲଳିନ୍ଦ୍ର ଶବର ଜଣେ ବିଜେଡି ନେତାଙ୍କ ବସର ଡ୍ରାଇଭର। ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସର ଡ୍ରାଇଭର। ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ରହିଛି। ଗୁଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଥିଲେ। ଏହି ଘଟଣାରେ ଦିବ୍ୟଶଙ୍କରଙ୍କ ଭୂମିକା ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଭଳି ବୋଲି ଶ୍ରୀମତୀ ସାମନ୍ତସିଂହାର କହଥିଲେ। ଲୋକ ନଜରକୁ ହଟାଇବାକୁ ଏଭଳି ନାଟକ କରାଯାଇଥିବା ସେ ଅଭିଯୋଗ କରିଥିଲେ।

Comments are closed.