Odisha Link
Bridging the Missing Links in Odisha

ବିଜେଡ଼ି ନେତାଙ୍କ ଲିଙ୍କ୍‌ ଅଛି-ବିଜେପି

ଭଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମ ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି। ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ଅଭିଯୋଗ ଆଣିଛି। ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି। ଏଥିସହ ପୀଡ଼ିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୁଲିସ କାହିଁକି ଛାଡ଼ିଲା ତାର ଖୁଲାସା କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।
ସେ କହିଛନ୍ତି ଯେ, ଲଳିନ୍ଦ୍ର ଶବର ଜଣେ ବିଜେଡି ନେତାଙ୍କ ବସର ଡ୍ରାଇଭର। ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସର ଡ୍ରାଇଭର। ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ରହିଛି। ଗୁଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଦିବ୍ୟଶଙ୍କରଙ୍କ ଭୂମିକା ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଭଳି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଲୋକ ନଜରକୁ ହଟାଇବାକୁ ଏଭଳି ନାଟକ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଜୁନାଗଡ଼ରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା ସମ୍ପର୍କରେ ଗଣଦୁଷ୍କର୍ମ ପୀଡ଼ିତା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଡ୍ରାଇଭର ଲଳିନ୍ଦ୍ର ଶବରକୁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି। ଏପରିକି ଜଙ୍ଗଲରେ ଲଳିନ୍ଦ୍ର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ତେବେ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ପୀଡ଼ିତା ଜଣକ ପ୍ରଶ୍ନ କରିଛନ୍ତି। ଏପରିକି ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ, ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିଫ୍ଟ ନେଇ ଯାଉଥିଲି। ରାସ୍ତାରେ ଲଳିନ୍ଦ୍ର ପାଖକୁ ବାରମ୍ବାର ମୋବାଇଲରେ କଲ ଆସୁଥିଲା। ଘଟଣାସ୍ଥଳରେ ଲଳିନ୍ଦ୍ର ଗାଡ଼ି ଧିମାଇଲା ଓ ୬ ଜଣ ଯୁବକ ମୋତେ ଉଠାଇ ନେଲେ। ଜଙ୍ଗଲରେ ଲଳିନ୍ଦ୍ର ହିଁ ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ପରେ ଆଉ ଜଣେ ଯୁବକ ମୋ ସହ ଦୁଷ୍କର୍ମ କରିଥିଲା। ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ କାହିଁକି ଛାଡ଼ି ଦିଆଯାଉଛି। ଲଳିନ୍ଦ୍ର ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ। ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଜଣକ କହିଛନ୍ତି ।

Comments are closed.