Odisha Link
Bridging the Missing Links in Odisha

ଝିଅ ଘରେ କଳାକନା ବୁଲାଇ ବାପା ଗିରଫ

ଭୁବନେଶ୍ବର: ନିଜ ଝିଅ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି ବାପା। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ। ଗିରଫ ବ୍ୟକ୍ତି ହେଉଛନ୍ତି କୈଳାସ ରଣା। ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଫତେଗଡ଼ ଠାରେ।
ମିଳିଥିବା ସୂଚନା ଅନୁସାରେ, କୈଳାସ ନୂଆପଲ୍ଲୀ ସାଲିଆସାହି ତାରିଣୀନଗରରେ ରହୁଥିବା ଝିଅ ନିରୁପମାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତ ୧୬ ତାରିଖରେ ନିରୁପମାଙ୍କୁ ସ୍ବାମୀ ଦେଢଲକ୍ଷ ଟଙ୍କା ଦେଇଥିଲେ। ନିରୁପମା ଟଙ୍କାକୁ ଆଲମିରାରେ ରଖିବା ବେଳେ କୈଳାସ ଦେଖିଥିଲେ। ପରଦିନ ସକାଳେ ସ୍ବାମୀ ସ୍ତ୍ରୀ କୈଳାସଙ୍କୁ ଘରର ଚାବି ଦେଇ କୌଣସି କାମରେ ବାହାରକୁ ଯାଇଥିଲେ।
ସେମାନେ ଫେରିବାବେଳକୁ କୈଳାସ ଘରେ ନଥିଲେ। ଆଲମିରାରେ ଥିବା ଦେଢ ଲକ୍ଷ ଟଙ୍କା ମଧ୍ୟ ଗାଏବ ଥିଲା। ତେଣୁ ତାଙ୍କ ବାପା ହିଁ ଟଙ୍କା ଚୋରି କରି ନେଇଥିବା ସନ୍ଦେହ କରି ନିରୁପମା ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଫତେଗଡରେ ଚଢାଉ କରି କୈଳାସଙ୍କୁ ଗିରଫ କରିଛି। ହେଲେ ତାଙ୍କଠାରୁ ଚୋରି ଟଙ୍କା ଜବତ ହୋଇ ପାରି ନଥିଲା। ଗିରଫ କରି ପୋଲିସ କୈଳାସଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Comments are closed.