ବିହାରରେ ୧୦୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବନ୍ୟାରେ ଫସିଲେ ଉପମୁଖ୍ୟମନ୍ତ୍ରୀ

ପାଟନା: ଦେଶରେ ବେଶ୍ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଯାହାଫଳରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ସ୍ଥିତି ଏବେ ଗମ୍ଭୀର ରହିଛି। ଏହି ବନ୍ୟାରେ ଏଯାବତ୍ ୨୯ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସମୟରେ ବିହାରରେ ଯେଉଁ ବର୍ଷା ହୋଇଛି ତାହା ୧୦୨ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଚଳିତ ସେପ୍ଚମ୍ୱରରେ ୨୪୭.୧ ମିଲିମିଟର ବର୍ଷା ହୋଇଛି। ଯାହାକି ୪୮ ପ୍ରତିଶତରୁ ଟିକିଏ ଅଧିକ ଏବଂ ୧୯୦୧ ମସିହା ପରେ ସବୁଠୁ ଅଧିକ ବର୍ଷା।
ବିହାରରେ ଲାଗି ରହିଥିବା ବନ୍ୟାରେ ଫସିଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି। ନିଜ ସରାକରୀ କ୍ବାର୍ଟରରେ ଜଳବନ୍ଦୀ ହୋଇ ରହିଥିଲେ ମୋଦି। ଏନ୍ଡିଆରଫି ପକ୍ଷରୁ ମୋଦିଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ନିଆଯାଇଛି।
ବିହାରରେ ଏବେ ବି ବର୍ଷା ହେଉଥିବା ସୂଚନା ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତାକାଲି ପାଖରୁ ପାଗରେ ପରିବର୍ତ୍ତନ ଆସିବ। ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଦରଭଙ୍ଗା ଏବଂ ପାଟନା ପ୍ରଶାସନ ଜିଲ୍ଲାରେ ସମସ୍ତ ଶିଷାନୁଷ୍ଠାନ ବନ୍ଦ ରହିଛି।
ପ୍ରବଳ ବର୍ଷା କାରଣରୁ ଅନେକ ଘର ଭିତରେ ପାଣି ପଶିଯାଇଛି। ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ସେନା ନିୟୋଜିତ ହୋଇଛନ୍ତି। ରାସ୍ତା ଉପରେ ପାଣି ଜମି ରହିଥିବାରୁ ସୁମୁଦ୍ର ଭଳି ପାଣି ଢେଉ ମାରିଛି। ବୋଟ୍ ମାଧ୍ୟମରେ ଲୋକଙ୍କୁ ଘର ଭିତରୁ ଉଦ୍ଧାର କରାଯାଇ ଖୁଖିଲା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।