Odisha Link
Bridging the Missing Links in Odisha

ମହାମହିମଙ୍କ ଜନ୍ମଦିନ ଆଜି, ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଳୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମଦିନ। ୭୪ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତର ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମ ୧୯୪୫ ଅକ୍ଟୋବର ୧ରେ ଉତ୍ତରପ୍ରଦେଶରେ ହୋଇଥିଲା। ରାଷ୍ଟ୍ରପତିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା।

ସକାଳ ୫ରେ ଶଯ୍ୟା ତ୍ୟାଗ କରନ୍ତି ରାଷ୍ଟ୍ରପତି କୋବିନ୍ଦ। କିଛି ସମୟ ଯୋଗ କରିବା ପରେ ପ୍ରାତଃ ଭ୍ରମଣରେ ବହାରି ପଡ଼ନ୍ତି ସେ। ସେଠାରେ ସାଧାରଣ ଲୋକଙ୍କ ସହ କିଛି ବାର୍ତ୍ତାଳାପ କରି ଫେରିବା ପରେ ସକାଳ ୧୦ରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯତ୍ରା ଆରମ୍ଭ କରନ୍ତି। ସେଠାରେ କିଛି ସମୟ ବାହାରେ ରହି ତାଙ୍କୁ ସାକ୍ଷାତ କରିବାକୁ ଆସିଥିବା ଲୋକମାନଙ୍କ ସହ ଆଲୋଚନା ମଧ୍ୟ କରନ୍ତି ରାମାନାଥ କୋବିନ୍ଦ। ସମ୍ପୂର୍ଣ୍ଣ ଶାକାହାରୀ ଭକ୍ଷଣ କରନ୍ତି। ବିନା ମସଲା ଏବଂ କମ୍ ତେଲରେ ପ୍ରସ୍ତୁତ ଖାଦ୍ୟ ଭୋଜନ କରନ୍ତି ରାଷ୍ଟ୍ରପତି କୋବିନ୍ଦ। ଗ୍ରୀନ ଟି, ଛାଚ୍‌ (ବିନା ଚିନି) ପାନ କରନ୍ତି। ମହାପୁରୁଷମାନଙ୍କ ଜୀବନି ପଢିବା ପାଇଁ ସେ ଖୁବ୍‌ ଭଲପାଆନ୍ତି।

୧୯୪୫ ମସିହା ଅକ୍ଟୋବର ୧ ରେ ଛତିଶଗଡ଼ର ଡେରାପୁର ତହସିଲ୍‌ ଅନ୍ତର୍ଗତ ପରୋଖ ଗାଁର ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। କୋବିନ୍ଦ ଓକିଲାତି ପାସ୍‌ କରିବା ପରେ ଦିଲ୍ଲୀ ହାଇକୋର୍ଟରେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ।

୧୯୭୭-୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କଲେ।

୧୯୯୮-୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ କୋବିନ୍ଦ। ୮ ଅଗଷ୍ଟ ୨୦୧୫ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିହାରର ରାଜ୍ୟପାଳ ଭାବେ ରାମନାଥ କୋବିନ୍ଦଙ୍କୁ ନିଯୁକ୍ତ କଲେ।

ସ୍ନାତକ ପାସ କରିବା ପରେ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇଥିଲେ କୋବିନ୍ଦ। ଦୁଇଥର ଫେଲ୍‌ ହେବା ପରେ ତୃତୀୟ ଥର ସେ ମନୋନୀତ ହୋଇଥିଲେ। କିନ୍ତୁ ପରେ ସେ ଚାକିରୀ କରିନଥିଲେ।

୧୯୭୭ରେ ଜନତା ସରକାର ଆସିବାପରେ ମୋରାରଜୀ ଦେଶାଇଙ୍କର ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ରାମନାଥ କୋବିନ୍ଦ।

୧୯୯୧ରେ ବିଜେପିରେ ଯୋଗ ଦେଇଥିଲେ କୋବିନ୍ଦ। କୁଷ୍ଠ ରୋଗୀମାନଙ୍କ ପାଇଁ କାର‌୍ୟ୍ୟ କରୁଥିବା ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ସଂରକ୍ଷକ ହେଉଛନ୍ତି କୋବିନ୍ଦ।

୧୯୯୪ରେ ବିଜେପି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ପ୍ରଥମ ଥର କୋବିନ୍ଦ ମନୋନୀତ ହୋଇଥିଲେ।

୨୦୧୫ରେ ବିହାର ରାଜ୍ୟପାଳ ଭାବେ କୋବିନ୍ଦ ମନୋନୀତ ହେବା ପରେ ସେଠାକର ମୁଖ୍ୟମନ୍ତ୍ରୀ ଥିଲେ ନୀତିଶ କୁମାର। କୋବିନ୍ଦ ଏବଂ ନୀତିଶଙ୍କ ମଧ୍ୟ ସୁସମ୍ପର୍କ ସ୍ଥାପନ ହୋଇଥିଲା। ଯାହାକି ପରବର୍ତ୍ତୀ ସମୟରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ନୀତିଶ କୁମାର ଖୁସିରେ ସମର୍ଥନ କରିଥିଲେ।

Comments are closed.