Odisha Link
Bridging the Missing Links in Odisha

ଭିଡ଼ ହିଂସାରେ ଆର୍‌ଏସ୍‌ଏସ୍‌ ସମ୍ପୃକ୍ତ ନାହିଁ: ମୋହନ ଭାଗବତ

ନାଗପୁର: ଆଜି ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ବିଜୟାଦଶମୀରେ ସଂଘର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଥାଏ। ଏପ୍ରତିଷ୍ଠା ଦିବସ ଉପଲକ୍ଷେ ସଂଘ ତରଫରୁ ନାଗପୁରରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଆଜି ବିଜୟାଦଶମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସଂଘର ସରସଂଘଚାଳକ ମୋହନ ଭାଗବତ ଆଜି ସକାଳ ୭ଟା ୪୦ ମିନିଟ ସମୟରେ ଶସ୍ତ୍ରପୂଜା କରିଥିବାର ସୂଚନା ମିଳିଛି। ଶସ୍ତ୍ରପୂଜା ପୂର୍ବରୁ ଏକ ବିରାଟ ପଥସଂଚାଳନ ଆୟୋଜିତ ହୋଇଥିଲା।

ସଂଘର ବିଜୟାଦଶମୀ ଉତ୍ସବରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ଚଳିତ ବର୍ଷର ବିଜୟାଦଶମୀ କାର୍ଯ୍ୟକ୍ରମରେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଡର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ, ଏବେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ସମଗ୍ର ବିଶ୍ବରେ ଭାରତର ଶତ୍ରୁମାନେ ଅଲଗା ହୋଇସାରିଛନ୍ତି। ଏଥିସହିତ ଦେଶର ସେନାବାହିନୀର ପ୍ରଶଂସା କରି କହିଛନ୍ତି ଯେ ଦେଶର ସେନାବାହିନୀର ମନୋବଳ ବଢ଼ିଛି।

ଦେଶରେ ଦେଖାଯାଉଥିବା ଭିଡ଼ ହିଂସାକୁ ନେଇ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଭିଡ଼ ହିଂସାରେ ଆରଏସ୍‌ଏସ୍‌ ସଦସ୍ୟଙ୍କ ଆଦୌ ସମ୍ପୃକ୍ତି ନାହିଁ। ଲୋକଙ୍କ ମଧ୍ୟରେ ଜାଣିଶୁଣି ହିଂସାଭାବ ସୃଷ୍ଟି କରାଯାଉଛି। ଭିଡ଼ ହିଂସା ଦ୍ବାରା ଦେଶ ବଦନାମ ହେଉଛି। ଏଥିପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଶ୍ରୀ ଭାଗବତ। ଏଥିସହିତ କିଛି ଗୋଷ୍ଠୀ ଦ୍ବାରା ହିନ୍ଦୁ ସମାଜ ଉପରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ଭାଗବତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ମୋଦି ସରକାରଙ୍କୁ ପ୍ରଶଂସା କଲେ ମୋହନ ଭାଗବତ:
ବିଜୟାଦଶମୀ ଉପଲକ୍ଷେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କହିଛନ୍ତି, “ଲୋକଙ୍କ ଆଶାନୁଯାୟୀ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଦ୍ୱିତୀୟଥର ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମୋଦି-୨ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ସବୁ ହାତକୁ ନେଇଥିଲେ, ତା’କୁ ମଧ୍ୟ ଭାଗବତ ପ୍ରଶଂସା କରିଛନ୍ତି। ସେ ସରକାରଙ୍କ ପ୍ରଶଂସା କରିଥିଲେ ହେଁ ବିକାଶ ପଥରେ ଥିବା କଣ୍ଟା ଓ ଏହାକୁ କାଢ଼ିବା ପାଇଁ ବ୍ୟବସ୍ଥା ପ୍ରଣୟନ ଉପରେ ଗୁରୁତ୍ୱ ଦେଇଛନ୍ତି।

ଏଥିସହିତ ଦେଶର ଅର୍ଥନୀତି ନିମ୍ନଗାମୀ ହେବା ପଛରେ ଅନ୍ତର୍ଜାତୀୟ ପ୍ରସଙ୍ଗ ଦାୟୀ ବୋଲି କହି ଭାଗବତ ମୋଦି ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ଅର୍ଥନୀତିର ପ୍ରଭାବ ବିଶ୍ୱର ସମସ୍ତ ଦେଶ ଉପରେ ପଡ଼ିଛି ବୋଲି ସେ କହିଛନ୍ତି।

Comments are closed.