Odisha Link
Bridging the Missing Links in Odisha

ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌!

ଭୁବନେଶ୍ବର: ନୂଆପଡ଼ା ଆମ ରାଜ୍ୟର ଏକ ଜିଲ୍ଲା। ଆମ ରାଜ୍ୟରେ ବର୍ତ୍ତମାନ ୨ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଛି। ଗୋଟିଏ ରାଜଧାନୀ ଭୁବନେଶ୍ବରରେ ଆଉ ଏକ ଝାରସୁଗୁଡ଼ାରେ। ହେଲେ ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ଏକଥା ଆମେ କହୁନୁ, https://nuapada.nic.in/how-to-reach/ ରେ କ୍ଲିକ୍‌ କଲେ ଆପଣ ମଧ୍ୟ କହିବେ। ଯାହାଫଳରେ ନୂଆପଡ଼ା ଏବେ ତାମିଲନାଡ଼ୁକୁ ଘୁଞ୍ଚିଯାଇଛି। ଆଜ୍ଞା ହଁ ୱେବସାଇଟ୍‌ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ନୂଆପଡ଼ା। କିନ୍ତୁ ଭିତରେ ତଥ୍ୟ ରହିଛି ତାମିଲନାଡ଼ୁ ସମ୍ପର୍କିତ।

ସୋଶିଆଲ ମିଡିଆରେ ଏବେ ଏହି ୱେବସାଇଟ୍‌ର ତଥ୍ୟ ଚର୍ଚ୍ଚାରେ ରହିଛି। ବିଶେଷ କରି ‘ହାଓ ଟୁ ରିଚ୍‌’ ଟ୍ୟାବ୍‌ରେ ଏଭଳି ତଥ୍ୟ ସବୁ ମିଳୁଛି। ସୂଚନାଯୋଗ୍ୟ ଯେ, ଟେକ୍ନୋଲୋଜି ୫-ଟିର ଅନ୍ୟତମ ଅଙ୍ଗ। ଏବେ ୫-ଟିର ସଫଳତାକୁ ନେଇ ଡିଣ୍ଡିମ ପିଟାଯାଉଥିବାରୁ ଏହି ଘଟଣା ଏହା ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛି। ଆଉ ଏବେ ନୂଆପଡ଼ାର ଏହି ୱେବସାଇଟ୍‌ର ଅଜବ ତଥ୍ୟକୁ ଲୋକେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ରାଜ୍ୟ ତାମିଲନାଡ଼ୁ ସହିତ ଯୋଡ଼ି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

ୱେବସାଇଟ୍‌ଟି ଦେଖିଲେ ଯେକେହି ମଧ୍ୟ ସମାନ ଅଭିଯୋଗ ଆଣିବ। କାରଣ ଏଥିରେ ତାମିଲନାଡ଼ୁର ସାଲେମ୍‌ ଜିଲ୍ଲାର ତଥ୍ୟ ରହିଛି। ଏଥିରେ କୁହାଯାଇଛି ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ସେହିଭଳି ଟ୍ରେନ୍‌ ଓ ବସ୍‌ ଯୋଗାଯୋଗ ମଧ୍ୟ ତାମିଲନାଡ଼ୁର ଠିକଣା ସହ ଖାପ୍‌ ଖାଉଛି। ଏଭଳି ବିଭ୍ରାନ୍ତିକର ତଥ୍ୟ ତୁରନ୍ତ ହଟାଇବାକୁ ସାଧାରଣରେ ଦାବି ହୋଇଛି।

Comments are closed.