Odisha Link
Bridging the Missing Links in Odisha

କ୍ରୀଡ଼ାବିତଙ୍କ ଭତ୍ତା ବୃଦ୍ଧି

ଭୁବନେଶ୍ବର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍‌ ଏବଂ ୨୦୧୯ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି। ଓଡିଶାର କ୍ରୀଡାବିତ୍‌ମାନେ ମଧ୍ୟ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ନିଜ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି। କ୍ରୀଡା ଭିତ୍ତିଭୂମିର ବିକାଶ ସହ କ୍ରୀଡା ପ୍ରତିଭାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡା ନୀତି ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଓଡିଶାରେ ବ୍ୟାଡମିଣ୍ଟନ, ହକି, ଫୁଟ୍‌ବଲ, ସୁଟିଙ୍ଗ୍‌, ସନ୍ତରଣ ଓ ଦୌଡକୁଦ ପ୍ରତିଷ୍ଠା ଓଡିଶା ସମେତ ସାରା ଭାରତର କ୍ରୀଡାବିତ୍‌ମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ଅଲମ୍ପିକ ପଦକ ଭାରତ ପାଇଁ ଆଉ ବେଶୀ ଦୂର ନୁହେଁ।
୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟସ୍ତରରେ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି।
ତଦନୁଯାୟୀ କ୍ରୀଡା ହଷ୍ଟେଲରେ ଝିଅଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଗଲା । ପୁଅମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଗଲା।
ଜାତୀୟ କ୍ରୀଡ଼ା ଫେଡେରେସନ୍ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

Comments are closed.