Odisha Link
Bridging the Missing Links in Odisha

ମୋ ସରକାର ଯୋଜନାରେ ୪ଜିଲ୍ଲା ଡାକ୍ତରଖାନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ “ମୋ ସରକାର’ ସ୍ଥିତି ଅନୁଧ୍ୟାନ ଗସ୍ତ ସମୟରେ ଯେଉଁ କିଛି ସମସ୍ୟା ଓ ଅଭାବ ଏବଂ ଅସୁବିଧା ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଦେଖିଥିଲେ, ତାହା ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ସୁନ୍ଦରଗଡ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମି ବିକାଶ ଲାଗି ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି।
ସୁନ୍ଦରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଅଭାବ ଅସୁବିଧା ଜିଲ୍ଲା ଖଣିଜ ପାଣ୍ଠିରୁ ଭରଣା କରାଯିବ। ରୋଗୀଙ୍କ ସହଯୋଗୀଙ୍କ ଲାଗି ଆଶ୍ରୟସ୍ଥଳ ଓ ଷ୍ଟାର୍ଫ କ୍ୱାର୍ଟର୍ସ ବି ଏହି ଅର୍ଥରେ ହେବ। ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ସୁନ୍ଦରଗଡ ଏସପିଙ୍କୁ ୧୦ଲକ୍ଷ ଟଙ୍କା ଦିଆଯିବ। ଆଉ ଦୁଇଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡି ଏହି ଜିଲ୍ଲାକୁ ପ୍ରଦାନ କରାଯିବ।
ସେହିଭଳି ରାଉରକେଲା ସରକାରୀ ଡାକ୍ତରଖାନା ଶଯ୍ୟା ସଂଖ୍ୟା ୪୦୦କୁ ବୃଦ୍ଧି କରାଯିବ। ରୋଗୀଙ୍କ କଲ୍ୟାଣ ଆଦି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କା ରୋଗୀ କଲ୍ୟାଣ ସମିତିକୁ ସରକାର ପ୍ରଦାନ କରିବେ। ସେହିପରି ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ରାଉରକେଲା ଏସପିଙ୍କୁ ମଧ୍ୟ ଆଉ ୧୦ଲକ୍ଷ ଟଙ୍କା ଦିଆଯିବ। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ସମସ୍ତ ଅଭାବ ଅସୁବିଧା ଏଣିକି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଭରଣା କରାଯିବ।
ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦୂର ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ମୟୂରଭଞ୍ଜ ଏସପି ୧୦ଲକ୍ଷ ଟଙ୍କା ପାଇବେ ଓ ରୋଗୀଙ୍କ କଲ୍ୟାଣ ପାଇଁ ଏହି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ଲକ୍ଷ ଯୋଗାଇ ଦିଆଯିବ।

Comments are closed.