Odisha Link
Bridging the Missing Links in Odisha

ଜଷ୍ଟିସ ଏସଏ ବୋବଡେ ହେବେ ପ୍ରଧାନ ବିଚାରପତି, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ଜଷ୍ଟିସ ଏସଏ ବୋବଡେ ହେବେ ଦେଶର ନୂଆ ପ୍ରଧାନ ବିଚାରପତି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନ ବିଚାରପତି ପାଇଁ ସୁପାରିଶ ହୋଇଥିବା ଶ୍ରୀ ବୋବଡେଙ୍କ ନାମକୁ ମଞ୍ଜୁର ଦେଇଛନ୍ତି। ଫଳରେ ସେ ନଭେମ୍ବର ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଗତ ୧୯ ତାରିଖରେ ଜଷ୍ଟିସ ବୋବଡେଙ୍କ ନାମକୁ ବର୍ତ୍ତମାନର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସୁପାରିଶ କରିଥିଲେ।

୨୦୧୮ ଅକ୍ଟୋବର୩ ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଗୋଇ ଆସନ୍ତା ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ଏହାପରେ ନଭେମ୍ବର ୧୮ ତାରିଖରେ ଜଷ୍ଟିସ୍ ବବ୍ଡ଼େ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ତାଙ୍କୁ ଶପଥପାଠ କରାଇବେ ।

ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ହିଁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି। ଜଷ୍ଟିସ୍ ଗୋଗଇଙ୍କ ପରେ ଜ‌ଷ୍ଟିସ୍ ବବ୍‌ଡ଼େ ଦ୍ବିତୀୟ ବରି‌ଷ୍ଠତମ ବିଚାରପତି ହୋଇଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଗୋଗଇ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ୬୩ ବର୍ଷୀୟ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ। ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ମୁମ୍ବାଇ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ନାଗପୁରର ଚାନ୍ସଲର୍ ଥିଲେ। ଜଷ୍ଟିସ୍ ବବ୍‌ଡ଼େ ଏପ୍ରିଲ ୨୩, ୨୦୨୧ରେ ଅବସର ଗ୍ରହଣ କରିବେ।

Comments are closed.