Odisha Link
Bridging the Missing Links in Odisha

ଆରପାରିରେ ଗୋଟିପୁଅ ନୃତ୍ୟଗୁରୁ ବିରବର ସାହୁ

ବାଲିପାଟଣା: ଗୋଟିପୁଅ ନୃତ୍ୟଗୁରୁ ବିରବର ସାହୁଙ୍କର ଗତକାଲି ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ହେତୁ ସେ କିଛିଦିନ ହେବ ଶର୍ଯ୍ୟାସାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।
ଗୋଟିପୁଅ ନୃତ୍ୟରେ ଗୁରୁ ବିରବରଙ୍କର ଅନେକ ଅବଦାନ ରହିଛି। ଦେଶ ଏବଂ ବିଦେଶରେ ଅନେକ ସ୍ଥାନରେ କାର୍ଯ୍ୟକ୍ରମମାନ କରି ସେ ପରିଚିତ। ଗୁରୁ ଗଙ୍ଗାଧର ପ୍ରଧାନ, ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ବିଚିତ୍ରାନନନ୍ଦ ସ୍ୱାଇଁ, ଗୁରୁ ବିଜୟ କୁମାର ବାରିକ ଆଦି ଅନେକ ଗୁରୁ ବିରବରଙ୍କଠାରୁ ତାଲିମ୍ ପାଇଛନ୍ତି। ୧୯୯୮ ରୁ ୨୦୦୮ ପର୍ଯ୍ୟନ୍ତ କୋଣାର୍କ ନାଟ୍ୟ ମଣ୍ଡପ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ। ଏହି ସମୟରେ ଅନେକ ପ୍ରତିଭାଙ୍କର ଉଦ୍ଭବ ହୋଇଥିଲା।
ଗୁରୁ ବିରବରଙ୍କର କଳା ଏବଂ ସଂସ୍କୃତିରେ ଅତୁଳନୀୟ ଅବଦାନ ପାଇଁ ୨୦୦୮-୦୯କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମି ପୁରସ୍କାର, ୧୯୯୮ରେ ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ଏବଂ ୨୦୧୨ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୩୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଇନ୍ଦୋଳକୁଶିଆରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିରବର । ତାଙ୍କ ମାଆ ଙ୍କ ନାମା ସ୍ୱାର୍ଗତ ବେଳାମଣୀ ସାହୁ ଏବଂ ପିତାଙ୍କ ନାମ ସ୍ୱାର୍ଗତ ଦନେଇ ସାହୁ।

Comments are closed.