Odisha Link
Bridging the Missing Links in Odisha

କାଳିଆ ଯୋଜନାକୁ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ଘୋଷଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ, କାଳିଆ ଯୋଜନା ଓ କାଳିଆ ଟଙ୍କା ବିଜେଡିର ଏକ ନିର୍ବାଚନୀ ପ୍ରତିଶ୍ରୁତି। ନିର୍ବାଚନବେଳେ ରାଜ୍ୟ ସରକାର କହିଥିଲେ ଯେ, ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ମିଳିବ। ତେବେ କେତେ ଜଣ ଚାଷୀଙ୍କୁ ସରକାର ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଭୋଟ ପାଇଁ ‘କାଳିଆ’ ମିଛ ବାହାନା ଥିଲା ବୋଲି ଜୟଦେବ ଜେନା କହିଛନ୍ତି।
ସେହିପରି ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କାଳିଆ ନେଇ ସମାଲୋଚନା କରିଛି। ବିଜେପି ନେତା ତଥା ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ୭୫ ଲକ୍ଷ ଚାଷୀଙ୍କୁ କାଳିଆରେ ସାମିଲ କରିଥିଲେ। ୫୧ ଲକ୍ଷ ଚାଷୀ ଟଙ୍କା ପାଇଲେ, ଆଉ ୨୪ ଲକ୍ଷ କେବେ ପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ପିଏମ କିଷାନ ପାଇଁ ୨୨ ଲକ୍ଷ ଚାଷୀଙ୍କ ନାଁ ଦେଲେ, ବାକି ତାଲିକା କେବେ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକଙ୍କ ମୋବାଇଲକୁ ମେସେଜ ଆସିଲା, କିନ୍ତୁ ଟଙ୍କା ଆସିଲା ନାହିଁ। ସେମାନଙ୍କୁ କାଳିଆ ଟଙ୍କା କେବେ ମିଳିବ ସରକାର ସ୍ପଷ୍ଟ କରନ୍ତୁ। କେତେ ଚାଷୀ ତାଲିକାଭୁକ୍ତ ହୋଇଥିଲେ, କେତେ ସହାୟତା ପାଇଲେ , ଆଉ କେତେ ଚାଷୀ ଟଙ୍କା ପାଇବେ ସେନେଇ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

Comments are closed.