Odisha Link
Bridging the Missing Links in Odisha

ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲାରୁ ଅଯୋଧ୍ୟା ଶୁଣାଣି ଅନ୍ୟତମ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ। ସେ କହିଛନ୍ତି ଯେ, ଅଯୋଧ୍ୟା ମାମଲା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ। ସୂଚନାଯୋଗ୍ୟ ଯେ, ରାଜନୀତିକ ଏବଂ ଅନ୍ୟ ପ୍ରସଙ୍ଗ ଦୃଷ୍ଟିରୁ ଏହି ମାମଲା ଦେଶରେ ବେଶ୍‌ ଚର୍ଚ୍ଚାରେ ରହିଆସିଛି। ଗତ ୪୦ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠର ସଦସ୍ୟ ଅଛନ୍ତି ବୋବ୍‌ଡେ।

ଏହି ରାୟ ନଭେମ୍ବର ୧୭ ପୂର୍ବରୁ ଅର୍ଥାତ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ଆଗରୁ ଆସିଯିବ। ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ଏହାକୁ ନେଇ କହିଛନ୍ତି, ଅଯୋଧ୍ୟ ପ୍ରସଙ୍ଗ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ଏପରିକି ଏହା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ।

ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଥିବା ଏହି ମାମଲାର ଶୁଣାଣି ଗତ ବର୍ଷ ପରଠାରୁ ତ୍ୱରିତ ବେଗରେ ସରିଛି। ଏହା ପୂର୍ବରୁ ମଧ୍ୟସ୍ଥତା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ତେବେ ଏଥିରେ ସଫଳତା ନ ମିଳିବାରୁ ଅଗଷ୍ଟ ୬ ପରଠାରୁ ସବୁଦିନିଆ ଶୁଣାଣି କରାଯାଇଥିଲା। ଏପରିକି ସବୁଦିନିଆ ଶୁଣାଣିର ଅବଧି ଘଣ୍ଟାଏ ବୃଦ୍ଧି କରାଯାଇଥିଲା। ଜଷ୍ଟିସ୍‌ ବୋବ୍‌ଡେଙ୍କୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇ ସାରିଛନ୍ତି। ସେ ନଭେମ୍ବର ୧୮ରେ ଶପଥ ନେବେ।

Comments are closed.