Odisha Link
Bridging the Missing Links in Odisha

ଆରସିଇପିରୁ ଓହରିଲା ଭାରତ, ମୋଦି କହିଲେ କାରଣ

ନୂଆଦିଲ୍ଲୀ: ଭାରତ ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପି)ରୁ ଓହରିଯାଇଛି। ଏହା ଦେଶର ମାର୍କେଟ୍‌କୁ ମୁକ୍ତ କରିବା ସହ ଟାରିଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ଭାରତ ବିନା ହିଁ ଆଗେଇବ। ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବା ସମୟରେ ହିଁ ଭାରତ ଏହି ନିଷ୍ପତ୍ତି ନେଇଛି। ଏହି ଚୁକ୍ତି ଚଳିତ ବର୍ଷ ଶେଷରେ ସ୍ୱାକ୍ଷରିତ ହୋଇପାରେ। ୧୬ଟି ଦେଶ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ସବୁଠାରୁ ବଡ଼ ଚୁକ୍ତି ବୋଲି କୁହାଯାଏ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରସିଇପିକୁ ନେଇ ଭାରତ କାହିଁକି ଅରାଜି ହେଲା ସେହି ବାବଦରେ କହିଛନ୍ତି। ମୋଦି କହିଛନ୍ତି ଯେ, ଏଥିରେ ମୌଳିକ ଭାବନା ଏବଂ ନିୟମ ପ୍ରତିଫଳିତ ହେଉନି। ଦେଶର ଚାଷୀ, ବ୍ୟବସାୟୀ, ପ୍ରଫେସନାଲ, ଶିଳ୍ପ ଆଦିର ସମସ୍ୟା ଦର୍ଶାଇ ସେ କହିଥିଲେ, ମୁଁ ଯେତେବେଳେ ସବୁ ଭାରତୀୟଙ୍କ ସ୍ୱାର୍ଥକୁ ବିଚାର କରି ଆରସିଇପିକୁ ଆକଳନ କରୁଛି ମୋତେ ସକାରାତ୍ମକ ଉତ୍ତର ମିଳୁନି। ନା ଗାନ୍ଧିଜୀଙ୍କ ଆଦର୍ଶ ନା ମୋ ବିବେକ ମୋତେ ଏଥିପାଇଁ ଅନୁମତି ଦେଉଛି।

ଭାରତ ଲଗାତାର ମୁକ୍ତ ବଜାରକୁ ବିରୋଧ କରିବାର କାରଣ, ଆଶଙ୍କା ରହିଛି ଯେ ଦେଶରେ ଶସ୍ତା ଚାଇନା କୃଷିଜାତ ଓ ଶିଳ୍ପଜାତର ମାତ୍ରା ବଢ଼ିଯିବ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ କଂଗ୍ରେସ ଏବଂ ବିଜେପିର ବୈଚାରିକ ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପୂର୍ବରୁ ସରକାରକୁ ଏନେଇ ଚେତାବନୀ ଦେଇସାରିଛନ୍ତି।

Comments are closed.