ମଶାଣି କଡରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧନଗ୍ନ ଯୁବତୀ ଉଦ୍ଧାର

ଖୋର୍ଦ୍ଧା: ଭୁବନେଶ୍ବରରୁ କାର୍ ଭଡା କରି ଖୋର୍ଦ୍ଧା ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ଖୋର୍ଦ୍ଧା ଉପକଣ୍ଠ ଜେମାଦେଈ ଛକ ନିକଟ କଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀ ଜଣଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଏସପି ହସ୍ପିଟାଲକୁ ଆସି ଯୁବତୀଙ୍କୁ ପଚରାଉଚରା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା। ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି କାଲି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ। ସେହି କାର୍ ରେ ୩ ଜଣ ବସିଥିଲେ। ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି କହିଥିଲେ। ଯୁବକମାନେ ପୋଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ଆଣିଥିଲେ।
ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ। ପରେ ଏସପି ମଧ୍ୟ ହସପିଟାଲରେ ପହଞ୍ଚିଥିଲେ। ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ। ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି। ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ। ଖଣ୍ଡଗିରି ଛକରୁ ଏକ ଭଡ଼ା କାର୍ ରେ ଆସୁଥିଲା ବେଳେ ବାଟରେ ଏଭଳି କିଛି ଘଟିଥିବା ସନ୍ଦେହ କରାଯାଉଛି। କାରରେ ଥିବା ୩ ଯୁବକଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।