ମାନବିକତା ଦେଖାଇଲେ ଦୁଇ ଯୁବକ

କୋଣାର୍କ: ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା । ଏହାର ପ୍ରମାଣ ଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୁଇ ଯୁବକ। ମାନବିକତା ଆଗରେ ହାର ମାନିଛି ସୁନା/ରୂପାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେ ସବୁକୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି।
ସୂଚନା ମୁତାବକ, ଗତ ୮ତାରିଖରେ ଇଚ୍ଛାପୁର ଗାଁର କାବେରୀ ପ୍ରଧାନ ନାମକ ମହିଳା ବାପଘରୁ ଶାଶୁ ଘରକୁ ଫେରୁଥିଲେ। ଗୋପିନାଥପାଟଣା ଗାଁ ନିକଟରେ ଭ୍ୟାନିଟ ବ୍ୟାଗଟି ତାଙ୍କ ଅଜାଣତରେ ପଡିଯାଇଥିଲା। ଭ୍ୟାନିଟରେ ଟଙ୍କା, ସୁନା ଆଦି ଜିନିଷ ରହିଥିଲା। ଏହି ଭ୍ୟାନିଟକୁ ପାଇଥିଲେ ଗୋପିନାଥ ପାଟଣା ଗାଁର ଆଲୋକ ନାୟକ ଓ ଚନ୍ଦନ ବାରିକ। ଦୁଇ ଯୁବକ ଏନେଇ ଗ୍ରାମବାସୀଙ୍କ ଜଣାଇଥିଲେ ଏବଂ ସମସ୍ତେ ମିଶି ଏହି ଖବର ସୋଶାଲ ମିଡିଆରେ ଭାଇରାଲ କରିଥିଲେ। ଶେଷରେ ସମ୍ପୃକ୍ତ ମହିଳା ଜଣକ ପରିଚୟପତ୍ର ଦେଖାଇ ତାଙ୍କ ଜିନିଷ ଫେରିପାଇଛନ୍ତି। ଗାଁର ଦୁଇ ଯୁବକଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରାଯାଉଛି।