ଭାରତ-ଓ୍ବେଷ୍ଟଇଣ୍ଡିଜ୍: ପ୍ରଥମ ଟ୍ବେଣ୍ଟି-୨୦ ଆଜି

ହାଇଦ୍ରାବାଦ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରବାଦ୍ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ପରୀକ୍ଷାନିରୀକ୍ଷା କରିବାର ବଡ଼ ସୁଯୋଗ ଦେବ।
ଲୋକେଶ ରାହୁଲ୍ ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ଭାରତୀୟ ଟିମରେ ସ୍ଥାନ ପକ୍କା କରିବା ପାଇଁ ଚାହିଁବେ। ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିଥିବା ଭାରତୀୟ ଟିମରେ କିଛି ଖେଳାଳିଙ୍କର ସ୍ଥାନ ଏପର୍ଯ୍ୟନ୍ତ ପକ୍କା ହୋଇନାହିଁ। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ସେମାନେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ରାହୁଲଙ୍କ ନାଁ ସାମିଲ୍ ଅଛି। ଆଘାତପ୍ରାପ୍ତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଅନୁପସ୍ଥିତିରେ ରାହୁଲ୍ ଏହି ସିରିଜରେ ରୋହିତ୍ ଶର୍ମାଙ୍କ ଯୋଡ଼ିଦାର ଭାବେ ନିଜ ସ୍ଥାନକୁ ସୁନିଶ୍ଚିତ କରିବାକୁ ଚାହିଁବେ।
ବିରାଟଙ୍କ ଫେରିବା ଦ୍ୱାରା ମଧ୍ୟକ୍ରମ ମଜଭୁତ୍ ହେବ। ତାଙ୍କ ବ୍ୟତୀତ ରୋହିତ୍, ରାହୁଲ୍ ଓ ଶ୍ରେୟସ ଆୟର୍ କୌଣସି ବୋଲିଂ ଆକ୍ରମଣର ଲାଇନଲେନ୍ଥକୁ ବିଗାଡ଼ିବାର କ୍ଷମତା ରଖିଛନ୍ତି। ଯେହେତୁ ୱେଷ୍ଟଇଣ୍ଡିଜ୍ ଟିମ୍ ପାଖରେ ଅଭିଜ୍ଞ ବୋଲରଙ୍କ ଅଭାବ ରହିଛି, ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଉପରେ ସହଜରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ବ୍ୟାଟିଂ ବ୍ୟବୀତ ଭାରତର ବୋଲିଂ ଆକ୍ରମଣ ବେଶ୍ ସନ୍ତୁଳିତ ଲାଗୁଛି। ଅଭିଜ୍ଞ ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କ ଫେରିବା ଦ୍ୱାରା ଟିମର ପେସ୍ ଆକ୍ରମଣ ଅଧିକ ମଭଜୁତ୍ ହୋଇଛି। ଭୁବି ଓ ଦୀପକ ଚହର୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ଅଲରାଉଣ୍ଡର ଶିବମ୍ ଦୁବେ ତୃତୀୟ ପେସର ଭୂମିକା ତୁଲାଇବେ। ସ୍ପିନର ଭୂମିକା କ୍ୟାରିବିୟାନ୍ ବ୍ୟାଟିଂକୁ ରୋକିବା ପାଇଁ ଭାରତ ପାଖରେ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ଅଛନ୍ତି।
ରସେଲଙ୍କ ସ୍ଥାନରେ ଖେଳିବାକୁ ଥିବା ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍ ଓ ହେଡେନ୍ ୱାଲ୍ସ (ଜୁନିଅର)ଙ୍କ ପାଇଁ ଏହି ଶୃଙ୍ଖଳା ସର୍ବାଧିକ ମହତ୍ବ ରଖିବ। ଲେଣ୍ଡଲ ସିମନ୍ସଙ୍କ ପ୍ରତ୍ୟାବର୍ତନ ମଧ୍ୟ ଇଣ୍ଡିଜ୍ ବ୍ୟାଟିଂକ୍ରମକୁ ତୁଳନାତ୍ମକ ଭାବେ ସୁଦୃଢ଼ କରିବ। ଅନେକ ଇଣ୍ଡିଜ୍ ଖେଳାଳି ମଧ୍ୟ ପ୍ରଥମ ଥର ପାଇଁ ଭାରତରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବେ। ଓସାନେ ଥୋମାସ, ସିମରନ୍ ହେଟମେୟର ଓ ନିକୋଲାସ ପୂରନଙ୍କ ଭଳି ଖେଳାଳି ଗତବର୍ଷ ଆଇପିଏଲରେ ମୋଟା ଅଙ୍କର ଅର୍ଥରେ ବିକ୍ରି ହୋଇଥିଲେ। ପୂରନ ଅବଶ୍ୟ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି। କିରଣ ପୋଲାର୍ଡଙ୍କ ନେତୃତ୍ବରେ ସେମାନଙ୍କୁ ପୁଣି ଥରେ ପ୍ରଶଂସକଙ୍କ ଆଶା ପୂରଣ କରିବାକୁ ହେବ।