Odisha Link
Bridging the Missing Links in Odisha

ଆହୁରି ୧୫୧ ମଠ ମନ୍ଦିରର ଅଡିଟ୍‌ କରିବ ଏଜି

ଭୁବନେଶ୍ବର: ୬୧ ମଠମନ୍ଦିରରେ ମୋଟା ଅଙ୍କର ଦୁର୍ନୀତିକୁ ଏଜି ଧରିବା ପରେ ଦେ‌ବୋତ୍ତର ବିଭାଗ ତତ୍ପର ହୋଇଛି। ଆଉ ୧୫୧ଟି ମଠ ମନ୍ଦିରର ଅଡିଟ୍‌ ଭାର ଏଜିକୁ ଦେବା ପାଇଁ ଦେବୋତ୍ତର କମିସନର ଆଇନ ବିଭାଗକୁ ଅନୁମତି ମାଗିଥିଲେ। ଏହି ଆବେଦନକୁ ବିଧି ବିଭାଗ ମୋହର ମାରିଛି। ଖୁବ୍‌ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ଏହା ପରେ ଏଜି ଏହି ସବୁ ମଠମନ୍ଦିରର ଅଡିଟ୍‌ ଆରମ୍ଭ କରିବ। ପୂର୍ବରୁ ଏଜି ତଦନ୍ତଭାର ନେଇଥିବା ୬୧ ମଠମନ୍ଦିର ମଧ୍ୟରୁ ୯୯ ପ୍ରତିଶତ ମଠମନ୍ଦିରରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଥିଲ‌ା। ଏଣୁ ଅନ୍ୟ ମନ୍ଦିରଗୁଡ଼ିକରେ ମଧ୍ୟ ଦୁର୍ନୀତି ହୋଇଥିବା ନେଇ ଆଶଙ୍କା ପକରାଯାଉଛି। ଏଥିପାଇଁ ୧୫୧ଟି ମଠ ମନ୍ଦିର ଚିହ୍ନଟ ହୋଇଛି। ଏହି ଚିହ୍ନିତ ମଠ ମନ୍ଦିର ଏଜି ଦ୍ବାରା ଅଡିଟ୍‌ ସୁପାରିସ କରିବା ପାଇଁ ଦେବୋତ୍ତର କମିସନର ସରକାରଙ୍କ ଠାରୁ ଅନୁମତି ମାଗିଥିଲେ।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଦେ‌ବୋତ୍ତର ବିଭାଗ ଅଧୀନରେ ୧୭ ହଜାର ୪୭୨ ମନ୍ଦିର ଓ ୪୫୯ ମଠ ରହିଛି। ଟ୍ରଷ୍ଟ ବୋର୍ଡ ଜରିଆରେ ବିଭାଗ ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ପରିଚାଳନା କରନ୍ତି। ବିଭିନ୍ନ ଉତ୍ସରୁ ଆସୁଥିବା ଆୟବ୍ୟୟର ହିସାବ ଅଡିଟ୍‌ ଜରିଆରେ ତଦାରଖ କରାଯାଉଛି। ମଠମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ ରହିଛି। କିନ୍ତୁ କେତେକରେ ଟ୍ରଷ୍ଟ ବୋର୍ଡ ବିବାଦକୁ ନେଇ ପାଖାପାଖି ୪ ହଜାର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଶହ ଶହ ଅନୁଷ୍ଠାନ ବିନା ଟ୍ରଷ୍ଟ ବୋର୍ଡରେ ବି ପରିଚାଳିତ ହେଉଛି। ଅନେକ ନିଜର ସମ୍ପତ୍ତି ଭାବି ବର୍ଷ ବର୍ଷ ଧରି ଭୋଗଦଖଲ କରିଆସୁଛନ୍ତି। ବିଭାଗୀୟ ଅଡିଟ୍‌ ଏହି ସବୁ ଅନିୟମିତତା ଧରିପାରୁ ନାହିଁ କିମ୍ବା ଧରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇ ପାରୁନାହଁ। ଏଣୁ ଏଜି ଅଡିଟ୍‌ ପାଇଁ ସୁପାରିସ କରାଯାଉଛି। ଏହି ୧୫୧ ମଠ ମନ୍ଦିର ପରେ ଆହୁରି କେତେକ ମନ୍ଦିରର ଏଜି ଅଡିଟ୍‌ ପାଇଁ ସୁପାରିସ କରାଯିବାକୁ ଯୋଜନା ଥିବା ଜଣାପଡ଼ିଛି।

Comments are closed.