ଅପହଞ୍ଚ ଇଲାକାର ବାସିନ୍ଦା ସରକାରଙ୍କ ସମସ୍ତ ଯୋଜନାରୁ ଉପକୃତ ହୋଇ ପାରିବେ: ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଆଜି ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳ ପରିଦଶର୍ନ କରି ସ୍ଥାନୀୟ ଲେ।କଙ୍କ ଜୀବନ ଜୀବିକା ସଂପର୍କରେ ଲେ।କଙ୍କଠାରୁ ପଚାରି ବୁଝିଥିଲେ। ତଳନଗଡ଼ାଠାରେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିଥିଲେ। ତଳନଗଡ଼ାଠାରେ ପହଞ୍ଚିବା ପରେ ସେଠାରେ ବସବାସ କରୁଥିବା ଜୁଆଙ୍ଗ ପରିବାରଙ୍କ ଗୃହକୁ ଯାଇ ସେମାନଙ୍କ ଜୀବନଜୀବିକା କି ପରି ଚାଲିଛି ତାହା ପଚାରି ବୁଝିଥିଲେ।
ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଜନହିତକର ଯୋଜନା ସେମାନଙ୍କର ହସ୍ତଗତ ହେଉଛି ନା ନାହିଁ ତାହା ପଚାରି ବୁଝିଥିଲେ। ପିଚୁରାସ୍ତା ଏବଂ ସବୁଦିନିଆ ବସ ଚଳାଚଳକୁ ପ୍ରାଧାନ୍ୟ ଦିଆଯାଉ ବୋଲି ସ୍ଥାନୀୟ ଜନସାଧାରଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କର୍ମନିଯୁକ୍ତି ପାଇଁ ସ୍ଥାନୀୟ ଲୋକଙ୍କ ଅନୁରୋଧକୁ ମନ୍ତ୍ରୀ ବିଚାର କରି ତୁରନ୍ତ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସମୀକ୍ଷା ବୈଠକରେ ଉପସ୍ଥିତ ଜନ ସାଧାରଣଙ୍କୁ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ଓଡ଼ିଶାର ଅପହଞ୍ଚ ଇଲାକାରେ ରହୁଥିବା ଜନସାଧାରଣ ଯେ ପରି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା ଗୁଡ଼ିକ ହାସଲ କରିବେ ସେଥି ନିନ୍ତେ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟ ରହିଛି। ପୂର୍ବେ ନଗଡ଼ାର ପରିସ୍ଥିତି ଯେପରି ଥିଲା ବର୍ତ୍ତମାନ ଅନେକ ପରିବର୍ତ୍ତନ ହୋଇଛି। ପିଲା ଓ ମା’ମାନଙ୍କ ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ ସେବା, ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ଦୈନନ୍ଦିନ ଜୀବନକୁ କିପରି ଆହୁରି ଅଧିକ ଉନ୍ନତ ହେବ ସେ ଦିଗରେ ରାଜ୍ୟ ସରକାର ସଦା ତତ୍ପର। ଜୀବନଶୈଳୀ, ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇ ସାମାଜିକ ଅଧିକାର ନେଇ ବଞ୍ଚିବେ ସେହି ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସ୍ଥାନୀୟ ଲୋକଙ୍କ କହିଥିଲେ।
ଆସନ୍ତା ଫେବୃଆରୀ ମାସଠାରୁ ତଳନଗଡ଼ାଠାରେ ଯୋଗାଣ ବିଭାଗ ଦ୍ୱାରା ଚାଉଳ ଯୋଗାଇ ଦିଆଯିବ। ଗାଁରେ ସମସ୍ତ ଗୃହକୁ ଶୌଚାଳୟ ଦିଆଯାଇ ସାରିଛି, ଶୌଚାଳୟ ବ୍ୟବହାର ନିମନ୍ତେ ପାଇପ୍ ଜଳ ଯୋଗାଇ ଦିଆଯିବ। ପିଚୁ ରାସ୍ତା କରାଯିବ। କାଳିଆ ପାଣିଠାରୁ ଦେଓ ଗାଁ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯିବ। ସମସ୍ତ ବାସଗୃହକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଉଦ୍ୟାନ କୃଷି ବିଭାଗ ଦ୍ୱାରା ଫୁଲ ଓ ପନି ପରିବା ଚାଷ ନିମନ୍ତେ ପ୍ରୋତ୍ସାହନ ଦିଆଯାଇ ସ୍ଥାନୀୟ ଲୋକଙ୍କ ଆତ୍ମନିର୍ଭରଶୀଳ ହେବାର ବ୍ୟବସ୍ଥା କରାଯିବ। ପରିବେଶ ପର୍ଯ୍ୟଟନର ବ୍ୟବସ୍ଥା କରିବା ସଂପର୍କରେ ଆଲୋଚନା ହୋଇଥିଲା। ଜଙ୍ଗଲ ଅଞ୍ଚଳ ଥିବା ହେତୁ ମହୁଚାଷ କରି ସ୍ଥାନୀୟ ଲୋକେ ଉ ପାର୍ଜନକ୍ଷମ ହୋଇ ପାରିବେ। ଏଥି ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯାଇଛି। ପୁଣିଥରେ ପ୍ରଶିକ୍ଷଣ ଦିଆଯାଇ ଉତ୍ତମ ମହୁ କିଭଳି ଚାଷ କରିବେ ସେଥି ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଥିଲେ।
ସମୀକ୍ଷା ବୈଠକରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ, ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର, ସମସ୍ତ ସଂପୃକ୍ତ
ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।