Odisha Link
Bridging the Missing Links in Odisha

‘ଅକ୍ଷର’ର ଅଷ୍ଟମ ସନ୍ଧ୍ୟା

ଭୁବନେଶ୍ବର: ସହିତର ଭାବ ହିଁ ସାହିତ୍ୟ ହୋଇଥିବାବେଳେ ସୃଜନଶୀଳ କ୍ରିୟାଶୀଳତା ହେଉଛି ସଂଗଠନ। ଯୁଗେ ଯୁଗେ ସାହିତ୍ୟ ଓ ଶାସ୍ତ୍ରର ଚର୍ଚ୍ଚା ହୋଇଛି। ସଂଗଠନ ମାଧ୍ୟମରେ ଏହି ଚର୍ଚ୍ଚା ସଂପ୍ରସାରିତ ଓ ଉତ୍ସାହିତ ହୋଇଥାଏ। ପୁସ୍ତକ ଓ ଲେଖକ ମଧ୍ୟରେ ସମ୍ବେଦନଶୀଳ ସଂପର୍କ ଜାରି ରଖିବା ସାହିତ୍ୟ ସଂଗଠନଗୁଡ଼ିକର କାର୍ଯ୍ୟ ବୋଲି ବିଶିଷ୍ଟ ଅନୁବାଦକ ତଥା ସଂଗଠକ ଇଂ. ଡ. ପ୍ରଭାକର ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଂ ସ୍ୱାଇଁ କହିଛନ୍ତି ଯେ ଭାଷା ଓ ସାହିତ୍ୟର ପ୍ରଚାର ଏବଂ ପ୍ରସାର ନିମନ୍ତେ ସଂଗଠନ ଅପରିହାର୍ଯ୍ୟ । ସାହିତ୍ୟକୁ ପ୍ରବୃତ୍ତି ଭାବରେ ଗ୍ରହଣ କଲେ ଜଣେ ସଫଳ ସଂଗଠକ ହୋଇ ପାରିବ।

ମୁଖ୍ୟବକ୍ତା ଭାବେ ଯୋଗଗଦେଇ ବିଶିଷ୍ଟ ସାହିତ୍ୟକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହ କହିଲେ ଯେ, ପୁସ୍ତକ ବିନା ପୃଥିବୀ ଓ ମଣିଷର ସ୍ଥିତି ନିରର୍ଥକ । ଓଡ଼ିଶାରେ ଭାଗବତ ରଚନା ପରଠାରୁ ଭାଗବତ ଟୁଙ୍ଗୀ ଜରିଆରେ ସାହିତ୍ୟର ସଂଗଠନ ଆରମ୍ଭ ହୋଇଛି। କାରଣ ଏହାଫଳରେ ସଂପର୍କ ନିବିଡ଼ ଓ ସୁଦୃଢ଼ ହୋଇ ପାରିଛି। ଡ. ସିଂହ ୧୭୮୬ରେ କୋଲକାତାରେ ଏସିଆଟିକ୍‌ ସୋସାଇଟି ଆରମ୍ଭ କରି ବଙ୍ଗୀୟ ସାହିତ୍ୟ ପରିଷଦ, ବାଲେଶ୍ୱରରେ ଫକୀର ମୋହନଙ୍କ ସଂଗଠନ, କଟକରେ କଟକ ସଭା, ଉତ୍କଳ ସମ୍ମିଳନୀ, ଖଡ଼ିଆଳ ସାହିତ୍ୟ ସମିତି ଓ ଉତ୍କଳ ସାହିତ୍ୟ ସମାଜ ଇତ୍ୟାଦିର ଦୃଷ୍ଟାନ୍ତ ପ୍ରଦାନ କରି ଭାଷା, ଭୂମି ଓ ମୁକ୍ତିର ଆନ୍ଦୋଳନ କେବଳ ସଂଗଠନ ମାଧ୍ୟମରେ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ । ସାରା ଓଡ଼ିଶା ସଂଗଠନ ମାଧ୍ୟମରେ ଜାଗ୍ରତ ହୋଇ ପାରିବ ବୋଲି ଡ. ସିଂହ ଉଲ୍ଲେଖ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗାଳ୍ପିକ ତଥା ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ତରୁଣ କୁମାର ସାହୁ କହିଥିଲେଯେ, ସଂଗଠନ ମାଧ୍ୟମରେ ତରୁଣ ପିଢ଼ିଙ୍କୁ ପ୍ରୋତ୍ସାହନ ମିଳିବ, ଅନାଲୋଚିତ ବ୍ୟକ୍ତିତ୍ୱମାନଙ୍କୁ ମୂଳସ୍ରୋତକୁ ଅଣାଯାଇ ପାରିବ। ସଂପ୍ରତି ସାହିତ୍ୟର ପ୍ରସାର ନିମନ୍ତେ ସଂଗଠନ ଅ ପରିହାର୍ଯ୍ୟ ବୋଲି ସେ କହିଥିବାବେଳେ ସମ୍ମାନିତ ଅତିଥି ରାଜଧାନୀ ପୁସ୍ତକ ମେଳା କମିଟିର ପ୍ରତିଷ୍ଠାତା ସଂ ପାଦକ ରମେଶ ଚନ୍ଦ୍ର ସ୍ୱାଇଁ ରାଜ୍ୟରେ ପୁସ୍ତକ ମେଳାର ପୃଷ୍ଠଭୂମି ପରେ ବକ୍ତବ୍ୟ ରଖିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଜୟନ୍ତୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ସୂଚନା ଅଧିକାରୀ ତଥା ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଇନ୍ଦୁଲତା ମହାନ୍ତିଙ୍କ ଅନୁବାଦ ପୁସ୍ତକ ଲୋକାର୍ପିତ ହୋଇଥିଲା। ମଞ୍ଚାସୀନ ଅତିଥିମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପଢୌକନ ପ୍ରଦାନ କରିଥିଲେ। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟର ଗ୍ରନ୍ଥାଧ୍ୟକ୍ଷ ସନ୍ତୋଷ ଚାଟାର୍ଜୀ ମଧ୍ୟ ବକ୍ତବ୍ୟ ରଖିଥିବାବେଳେ ଡ. ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ  ଗଜେନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.