Odisha Link
Bridging the Missing Links in Odisha

ଆଜି ଉଦ୍ଘାଟିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍‌ ଉତ୍ସବ

ପୁରୀ: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଦୀର୍ଘ ୪୯ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଚାଲିବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ । ଆଜି ଆନୁଷ୍ଠାନିକ ଭାବେ ଏହି ଉତ୍ସବର ଶୁଭଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବ ପାଇଁ ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ୍। ସମୁଦ୍ରକୁ ପାଖରୁ ଉପଭୋଗ କରିବା ସହ ପଞ୍ଚତାରକା ହୋଟେଲର ଅନୁଭବ ପ୍ରଦାନ କରିବ ଏହି ଅସ୍ଥାୟୀ ଟେଣ୍ଟ୍। ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ କଟେଜ୍, ରୟାଲ୍ କଟେଜ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି। ଏଠାରେ ରହିବା ପାଇଁ ରାତି ପିଛା ଜଣକୁ ୭ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ମୂଲ୍ୟ ବିଭିନ୍ନ ଦିନରେ ପରିବର୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ନିର୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ବରରୁ ବାହାରିବା ଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ୪କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏ ପର୍ଯ୍ୟନ୍ତ ୧୮୪ ଜଣ ପର୍ଯ୍ୟଟକ ବୁକିଂ କରି ସାରିଛନ୍ତି । ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପରିବେଶ ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଠାରୁ ମଧ୍ୟ ଅନୁମତି ନିଆଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜ୍ୟର ଲୋକନୃତ୍ୟ ଶିଳ୍ପୀ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ। ତେବେ ଏହି ୪୯ ଦିନ ମଧ୍ୟରେ ପ୍ରତି ଶନିବାର ଦେଶର ଜଣାଶୁଣା ପପ୍, ସେଲେବ୍ରିଟି ଡିଜେ ଓ ବଲିଉଡର କଣ୍ଠଶିଳ୍ପୀମାନେ ସଂଗୀତରେ ମନୋରଞ୍ଜନ କରିବେ। ଉଦଘାଟନୀ ସଂଧ୍ୟାରେ ‘ୟୁଫୋରିଆ’ ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ଅନ୍ୟ ଦିନମାନଙ୍କରେ ଇଣ୍ଡିଆନ୍ ଓସନ୍, ହର୍ଷଦୀପ କୌର, ମାମେ ଖାନ୍, ବେନି ଦୟାଲ୍, ପାପନ, ଦିବ୍ୟ କୁମାର, ସଲିମ ସୁଲେମାନ୍, କ୍ରିଷ୍ଣା ବେଉରା ପ୍ରମୁଖ ସଂଗୀତ କାର୍ଯ୍ୟକ୍ରମ ଭେଟିଦେବେ। ଇକୋ-ରିଟ୍ରିଟ୍ର ପ୍ରବେଶ ପଥ ଟିକେଟ୍ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକମାନେ ଏହି ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ। ଟିକେଟର ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ରହିଛି।

ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଥିବା ଓଡ଼ିଶାର ସମୁଦ୍ର କୂଳ ଅଞ୍ଚଳ ୪୮୦ କିଲୋମିଟର ବ୍ୟାପୀ ରହିଛି। ଏତେ ବଡ ବେଳାଭୂମି ଦୃଷ୍ଟିରୁ ରାଜ୍ୟ ଜଳକ୍ରୀଡ଼ାକୁ ବେଶ୍ ପ୍ରାଧାନ୍ୟ ଦେଇ ଆସୁଛି। ତେଣୁ ଏହି ଅବସରରେ ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଡ୍ ବୋଟିଂ, ପାରାସେଲିଂ, ଏଟିଭି, ଆର୍ଚେରି, ରାଇଫଲ୍ ସୁଟିଂ, ବାଇସାଇକେଲ୍ ଚାଳନା, ବିଚ୍ ଭଲିବଲ୍ ଆଦି ରୋମାଞ୍ଚଭରା ଖେଳ ଉପଭୋଗ କରିବାର ସୁଯୋଗ ଦେବ ଏହି ଇକୋ ରିଟ୍ରିଟ୍। ଜଳକ୍ରୀଡ଼ା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା ବେଳେ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସକାଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରାଏଲ୍ସର ଅନୁଭବ ସହ ବିଚ୍ ଭଲିବଲର ମଜା ନେଇପାରିବ। ଏଥିସହ ପର୍ଯ୍ୟଟକମାନେ ବିଚ୍ ସ୍ପା’ର ମଜା ମଧ୍ୟ ନେଇପାରିବେ ।

Comments are closed.