୫ ରାଜ୍ୟକୁ ଚେତାବନୀ ଦେଲା ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହିଂସା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ହିଂସା, ଉତ୍ତେଜନା ଓ ଅଶାନ୍ତ ବାତାବରଣ ଲାଗି ରହିଥିବାବେଳେ ଏବେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହେବା ସହ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ତେବେ ଏହି ଆଇନକୁ ଲାଗୁ କରିବେ ନାହିଁ ବୋଲି ଶୁକ୍ରବାର ୫ଟି ରାଜ୍ୟ ସରକାରଙ୍କ ଘୋଷଣା ଆଗକୁ ମାମଲାକୁ ଅଧିକ ଜଟିଳ କରିବ ବୋଲି ଆଶଙ୍କା କରାଯାଉଛି।
ପଶ୍ଚିମବଙ୍ଗ, କେରଳ, ପଞ୍ଜାବ, ମେଘାଳୟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ-୨୦୧୯କୁ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିବାରୁ ଏକ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗଣମାଧ୍ୟମରେ ଏଭଳି ବୟାନ ଦେବା ପରେ ଗୃହ ମନ୍ତ୍ରାଳୟ ସଂପୃକ୍ତ ରାଜ୍ୟମାନଙ୍କୁ ଏ ବାବଦରେ ତାଗିଦ୍ କରିଦେଇଛି। କେନ୍ଦ୍ର ସରକାରଙ୍କ ଆଇନକୁ ସମସ୍ତ ରାଜ୍ୟ ଲାଗୁ କରିବାକୁ ବାଧ୍ୟ ଏବଂ ସେମାନେ ଏହାକୁ ଟାଳିଦେଇ ପାରିବେ ନାହିଁ ବୋଲି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ କହିଛନ୍ତି।
Comments are closed.