Odisha Link
Bridging the Missing Links in Odisha

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷରେ ବିରାଟ୍‌

ନୂଆଦିଲ୍ଲୀ: ଆଜି ଆଇସିସି ପକ୍ଷରୁ ଜାରି ହୋଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ଆହକ କାରଣରୁ କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍ରାଙ୍କୁ ରାଙ୍କିଙ୍ଗରେ କ୍ଷତି ଘଟିଛି। ବିରାଟ ବର୍ତ୍ତମାନ ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛନ୍ତି। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ମିଥ୍ ଉଭୟ ଇନିଂସରେ ଯଥାକ୍ରମେ ୪୩ ଓ ୧୬ ରନ୍ କରିଥିଲେ। ଯଦି ସ୍ମିଥ୍ ଶତକ ମାରିଥାନ୍ତେ, ତାହେଲେ କୋହଲିଙ୍କୁ ହଟାଇ ପୁଣିଥରେ ନିଜର ଶୀର୍ଷ ସ୍ଥାନ ଫେରି ପାଇଥାନ୍ତେ। କୋହଲି ଏବେ ସ୍ମିଥଙ୍କଠାରୁ ୧୭ ପଏଣ୍ଟ ଆଗରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ତୃତୀୟ, ଚେତେଶ୍ୱର ପୂଜାରା (୭୯୧) ଚତୁର୍ଥ ଏବଂ ଆଜିଙ୍କ୍ୟ ରାହାଣେ (୭୫୯) ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନଙ୍କୁ ବଡ଼ ଫାଇଦା ହୋଇଛି। ପର୍ଥ ଟେଷ୍ଟରେ ଯଥାକ୍ରମେ ୧୪୩ ଓ ୫୦ ରନର ଇନିଂସ୍ ଖେଳିଥିବା ଲାବୁଶେନ୍ ପ୍ରଥମଥର ଲାଗି ଟପ୍‌-୫ରେ ପ୍ରବେଶ କରିଛନ୍ତି।

ପାକିସ୍ତାନର ବାବର ଆଜମ୍ ମଧ୍ୟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ପ୍ରଥମଥର ପାଇଁ ଟପ୍‌-୧୦ରେ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୧୦୨ ରନର ଅପରାଜିତ ଇନିଂସ୍ ଖେଳିଥିବା ବାବର ନବମ ସ୍ଥାନରେ ପହଞ୍ଚିଯାଇଛନ୍ତି। ନିଜର ପଦାର୍ପଣ ମ୍ୟାଚରେ ଶତକ ମାରିଥିବା ପାକିସ୍ତାନ ଓପ୍ନର ଆବିଦ୍ ଅଲୀଙ୍କୁ ମଧ୍ୟ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ସେ ୭୮ତମ ସ୍ଥାନ ସହ ରାଙ୍କିଙ୍ଗରେ ପ୍ରବେଶ କରିଛନ୍ତି।

ବୋଲରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଅନ୍ୟତମ ପେସର ମିଚେଲ୍ ଷ୍ଟାର୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ୭ ୱିକେଟ୍ ନେଇଥିବା ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର୍ ୮୩୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ୯ ୱିକେଟ୍ ନେଇଥିବା ଟିମ୍ ସାଉଦୀ ଟପ୍‌-୧୦କୁ ଫେରିଛନ୍ତି। ଅନ୍ୟପଟେ ଭାରତର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ସେ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛନ୍ତି।

ଅଲରାଉଣ୍ଡରଙ୍କ ମଧ୍ୟରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର୍ ଶୀର୍ଷ ସ୍ଥାନରେ ରହିଛନ୍ତି। ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୧୬ ପଏଣ୍ଟ ସହ ଦ୍ୱିତୀୟ, ଶ୍ରୀଲଙ୍କା ୮୦ ପଏଣ୍ଟ ସହ ତୃତୀୟ, ନ୍ୟୁଜିଲ୍ୟାଣ୍ଡ୍ ୬୦ ପଏଣ୍ଟ ସହ ଚତୁର୍ଥ ଏବଂ ଇଂଲଣ୍ଡ ୫୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

Comments are closed.