Odisha Link
Bridging the Missing Links in Odisha

ଡାକ୍ତର ମାନସଙ୍କୁ ଗୁଳିମାଡ଼ ଘଟଣା: ୨୪ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି

ଖୋର୍ଦ୍ଧା: ଚର୍ଚ୍ଚାରେ ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣା। ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଗୁଳିମାଡ଼ ଘଟଣାର ଟେର ପାଇପାରିନି ଖୋର୍ଦ୍ଧା ପୋଲିସ୍। ଅନ୍ୟପଟେ ଅପରାଧୀଙ୍କୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ ଅନୁଧ୍ୟାନ କରୁଛନ୍ତି। ଆଉ ଦୁଇଟି ଟିମ୍ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି। ଏସବୁ ଭିତରେ ଗୁଳିମାଡ ପଛରେ ଜମି କାରବାର କିମ୍ବା ଚିକିତ୍ସା ତ୍ରୁଟି ଯୋଗୁଁ ଶତ୍ରୁତା ଖବର, ପୋଲିସର ତଦନ୍ତ ବେଳେ ସାମନାକୁ ଆସିଛି। ସେପଟେ ଗୁଳିମାଡରେ ଔଷଧ ଦୋକାନୀ ପ୍ରାଣ ହରାଇଥିବା ବେଳେ ଡାକ୍ତର ମାନସ ଦାସ ଗୁରୁତର ଅଛନ୍ତି।

ଗୁଳିକାଣ୍ଡର ୨୪ ଘଣ୍ଟା ପରେ ପୋଲିସ ଆଗରେ ଅନେକ ପ୍ରଶ୍ନ ରହିଛି। ତଦନ୍ତ ଆଗେଇ ଚାଲିଛି, ସାଇଣ୍ଟିଫିକ୍କ ଟିମ୍ ସହ ଘଟଣାସ୍ଥଳରେ ଛାନଭିନ କରାଯାଇଛି, ହେଲେ ଗୁଳି ମାରିଥିବା ସେହି ଦୁର୍ବୃତ୍ତ ଏବେବି ପୋଲିସ ପାଇଁ ଅପହଞ୍ଚ। ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ।

ପ୍ରାଥମିକ ତଦନ୍ତରେ ପୋଲିସ ଦୁଇଟି ଦିଗକୁ ନେଇ ସନ୍ଦେହ କରୁଛି। କିଛି ଦିନ ପୂର୍ବରୁ ରାଜଧାନୀରେ ଏକ ବଡ ଜମି କିଣିଥିଲେ ଡାକ୍ତର ମାନସ ଦାସ। ତେବେ ଏହି ଜମିକୁ ଅନ୍ୟ ଜଣେ କିଣିବାକୁ ଉଦ୍ୟମ କରୁଥିବା ବେଳେ ଅଧିକ ଟଙ୍କା ଦେଇ ଜମି କିଣିନେଇଥିଲେ ଡାକ୍ତର। ତେଣୁ ସନ୍ଦେହ କରାଯାଉଛି ଡାକ୍ତରଙ୍କୁ ଗୁଳିମାଡ ପଛରେ ରହିଥାଇପାରେ ଏହି ଜମି ବିବାଦ। ସେହିପରି ଚିକିତ୍ସାକୁ ନେଇ ଡାକ୍ତରଙ୍କ ସହ କାହାର ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ମଙ୍କିକ୍ୟାପ୍ ପିନ୍ଧିଥିବା ଜଣେ ବ୍ୟକ୍ତି କ୍ଲିନିକ୍ରେ ଡାକ୍ତରଙ୍କୁ ଦେଖାକରିବାକୁ ଆସିଥିଲା। ତେବେ ଚାମ୍ବର ଭିତରେ ପଶୁ ପଶୁ ହଠାତ୍ ଡାକ୍ତରଙ୍କ ଉପରକୁ ଦୁଇରାଉଣ୍ଡ ଗୁଳିମାଡ କରିଥିଲା। ଗୁଳି ଶବ୍ଦ ଶୁଣି ଦୌଡି ଆସିଥିଲେ ପାଖରେ ଔଷଧ ଦୋକାନ କରିଥିବା କୃଷ୍ଣଚନ୍ଦ୍ର ସାହୁ। ତେବେ ଦୁବୃର୍ତ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଗୁଳିମାଡରେ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଥିବା ବେଳେ ଔଷଧ ଦୋକାନୀ ପ୍ରାଣ ହରାଇଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ଆହତ ଡାକ୍ତରଙ୍କ ପ୍ରତିକ୍ରିୟା ଉପରେ।

Comments are closed.