Odisha Link
Bridging the Missing Links in Odisha

ଚାଲିଛି ନିର୍ବାଚନ; ସିଏଏ ଦ୍ବାରା ୧୪ ଜଣ ଶରଣାର୍ଥୀଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ଓଏଲ୍‌ ବ୍ୟୁରୋ: ଦେଶରେ ଚାଲିଛି ନିର୍ବାଚନ ଋତୁ। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଦେଶରେ ଲାଗୁ ହୋଇଥିଲା ନାଗରିକତା ସଂଶୋଧନ ଆଇନ୍‌ କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଶେଷ ହେବା ପୂର୍ବରୁ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବଳରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା ପ୍ରମାଣପତ୍ର। ସିଏଏ ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା ପ୍ରମୁଖ କଥାଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ।

ଏହି ସଂଶୋଧିତ ଆଇନ ଅନୁସାରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।

୨୦୧୯ରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଥିଲା। ତେବେ ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ସେସବୁ ପ୍ରସ୍ତୁତ ହୋଇଯିବା ପରେ ଗତ ମାର୍ଚ୍ଚ ମାସରେ ୧୧ ତାରିଖରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ସୂଚନାଥାଉକି, ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବିନା ଦସ୍ତାବିଜରେ ଭାରତ ଆସି ରହୁଥିବା ଅଣ-ମୁସଲିମଙ୍କ ନାଗରିକତା ଆବେଦନ ଯୋଗ୍ୟତା ଅବଧିକୁ ସିଏଏରେ ୧୧ ବର୍ଷରୁ ହଟାଇ ୫ ବର୍ଷ କରି ଦିଆଯାଇଛି।

କେନ୍ଦ୍ରର ଶାସନାଧୀନ ବିଜେପି ସରକାର ଲୋକସଭା ନିର୍ବାଚନର ଇସ୍ତାହାର ପତ୍ରରେ ଉଲ୍ଲେଖ କରିଥିଲା ଯେ ନାଗରିକତା ସଂଶୋଧନ ଆଇନ ଦ୍ବାରା ଯେଉଁ ଶରଣାର୍ଥୀ ଆବେଦନ କରିଛନ୍ତି ଆମେ ତାଙ୍କୁ ନାଗରିକତା ପ୍ରଦାନ କରିବୁ। ନିର୍ବାଚନ ଚାଲିଥିବା ବେଳେ ବିରୋଧୀଙ୍କୁ ସରକାର ମାଷ୍ଟର ଷ୍ଟ୍ରୋକ୍‌ ଦେଇଛନ୍ତି। ସିଏଏ ବଳରେ ପ୍ରଥମ ଥର ପାଇଁ ୧୪ ଜଣ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

Leave A Reply

Your email address will not be published.