Odisha Link
Bridging the Missing Links in Odisha

ହୌସଲା ୨୦୧୯: ପ୍ରଥମ ଦିନ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯ର ପ୍ରଥମ ଦିନରେ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଓଡ଼ିଶାକୁ ସ୍ୱର୍ଣ୍ଣ ମିଳିଛି। ବିଭିନ୍ନ ରାଜ୍ୟର ଶିଶୁ ପ୍ରଯତ୍ନ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ନେଇ ଜାତୀୟ ସ୍ତରରେ ଅନୁଷ୍ଠିତ କ୍ରୀଡ଼ ପ୍ରତିଯୋଗିତା ହୌସଲା-୨୦୧୯ ଆଜିଠାରୁ ତିନିଦିନ ଧରି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଜନ ସହଯୋଗ ଏବଂ ବାଲବିକାଶ ସଂସ୍ଥାନଠାରେ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବିଭିନ୍ନ ଇନ୍‌ଡୋର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି କ୍ରମରେ ଅନୁଷ୍ଠିତ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଢେଙ୍କାନାଳ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ବିଷ୍ଣୁ ବେସ୍ରା ୬ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ତେଲେଙ୍ଗାନାର ଶିଭ ରୌପ୍ୟ ଏବଂ ଛତିଶଗଡ଼ର ତାକେଶ୍ୱର ବ୍ରୋଞ୍ଜ ପାଇଛନ୍ତି। ଆସନ୍ତାକାଲି ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରକାଶ ଥାଉ କି ରାଜ୍ୟର ୨୪୮ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ରାଜ୍ୟସ୍ତରୀୟ ହୌସଲା-୨୦୧୯ ଚଳିତ ଡିସେଞ୍ଚର ୧ ଓ ୨ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ଏଥିରୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ୩୯ ଜଣ ଅନ୍ତେବାସୀଙ୍କୁ ନେଇ ଏକ ଟିମ୍‌ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ପ୍ରତିଯୋଗୀମାନଙ୍କୁ ଭାଗନେବା ଦିଗରେ ଆନୁଷଙ୍ଗିକ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ଦାୟିତ୍ୱରେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ୬ ଜଣ ଅଧିକାରୀ ଦିଲ୍ଲୀ ଯାତ୍ରା କରିଛନ୍ତି।

Comments are closed.