ଆଜିଠୁ ବାରବାଟୀରେ ମହିଳା ଚ୍ୟାଲେଞ୍ଜର୍ ଟ୍ରଫି

କଟକ: ଆଜି ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତ ଏ, ବି ଓ ସି ତିନିଟି ଦଳ ପରସ୍ପର ସହ ମୁକାବିଲା କରିବେ। ଫାଇନାଲ୍ ମ୍ୟାଚ୍ ଜାନୁଆରୀ ୧୦ ତାରିଖରେ ଖେଳାଯିବ। ଏଥିପାଇଁ ସବୁ ଦଳର ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିସାରିଉନ୍ତି। ଗତକାଲି ଶୁକ୍ରବାର ଭାରତ ଏ ଓ ବି ଦଳର ଅଭ୍ୟାସ ହେବାର ଥିଲାବେଳେ ଖରାପ ପାଗ ଯୋଗୁଁ ଅଭ୍ୟାସ ମ୍ୟାଚ୍ ହୋଇନଥିଲା। ଆଜି ଭାରତ-ଏ ଓ ଭାରତ-ବି ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ସକାଳ ୧୧ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।
ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ‘ଏ’ ଦଳରେ ତାନିଆ ଭାଟିଆ, ଦୀପ୍ତି ଶର୍ମା, ଶିଭାଲି ସିନ୍ଦେ, ଜସିଆ ଅଖତର, ପ୍ରିୟା ପୁନିଆ, ସ୍ନେହ ରଣା, ମାନସୀ ଯୋଷୀ, ମେଘନା ସି˚ହ, କୋମଲ ଝାଞ୍ଜଡ, ମିନୁ ମଣି, ରାଧା ଯାଦବ, ଭାରତୀ ଫୁଲମଣି ସ୍ଥାନ ପାଇଛନ୍ତି। ସେହିପରି ‘ବି’ ଦଳରେ ସ୍ମୃତି ମନ୍ଧାନା ନେତୃତ୍ବ ନେଉଥିବା ବେଳେ ସୁଷମା ବର୍ମା, ଆର୍ କଳ୍ପନା, ଭନିଥା ଭି ଆର୍, ଜେମିମା ରୋଡ୍ରିଗୁଏଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ବସ୍ତ୍ରକାର, ଶିଖା ପାଣ୍ତେ, ରେଣୁକା ସି˚ହ, ଅଞ୍ଜଳି ସର୍ବାଣି, ଓଡ଼ିଶା ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ, ଟିପି କଁଵର, ରିଚା ଘୋଷ ସ୍ଥାନ ପାଇଛନ୍ତି।