Odisha Link
Bridging the Missing Links in Odisha

ନିର୍ବାଚନରେ ପ୍ଲାଷ୍ଟିକ ବ୍ୟବହାର: କେନ୍ଦ୍ର ସରକାର, ଇସିଆଇକୁ ସୁପ୍ରିମକୋର୍ଟ ନୋଟିସ୍

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳ ଗୁଡ଼ିକ ବ୍ୟବହାର କରିଥାନ୍ତି ପ୍ଲାଷ୍ଟିକ ବ୍ୟାନର, ପୋଷ୍ଟର ଓ ହୋର୍ଡିଂ। ଏବେ ଏସବୁକୁ ନେଇ ବିରୋଧ କରାଯାଇଛି। ଏପରି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଆବଶ୍ୟକ ନିର୍ଦେଶ ଦେବା ଲାଗି ଡବ୍ଲ୍ୟୁ ଏଡୱିନ ୱିଲସନଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି।

ପିଟିସନର ଶୁଣାଣି କରି ବିଚାରପତି ଏଲ ନାଗେଶ୍ବର ରାଓଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ କେନ୍ଦ୍ର ସରକାର ଓ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଗୁରୁବାର ନୋଟିସ ଜାରି କରିଛନ୍ତି। ନୋଟିସରେ ପିଟିସନ ଆଧାରରେ ୪ସପ୍ତାହ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ପୂର୍ବରୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଏ ସମ୍ପର୍କରେ ​‌​‌ଦେଇଥିବା ନିର୍ଦେଶକୁ ମଧ୍ୟ ୱିଲସନ ଚାଲେଞ୍ଜ କରିଛନ୍ତି। ଏନଜିଟି ଇସିଆଇ ଓ ସମସ୍ତ ରାଜ୍ୟ ଏବଂ ​‌ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦେଇଥିଲେ। ଏନଜିଟିଙ୍କ ଏହି ନିର୍ଦେଶ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ଯଥାର୍ଥ ନୁହେଁ। ତେଣୁ ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଲାଗି ଆବଶ୍ୟକ ନିର୍ଦେଶ ଦେବାକୁ ୱିଲସନ ନିବେଦନ କରିଛନ୍ତି।