ଯୁବ କଂଗ୍ରେସ ସଭାପତି ଚୟନ ପ୍ରସଙ୍ଗ: ପିସିସିକୁ କିଏ ଅଧିକାର ଦେଲା- ରଘୁବଂଶୀ

ଭୁବନେଶ୍ୱର: ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ। ଏଥିପାଇଁ ରାଜନୀତି ଆରମ୍ଭ ହୋଇ ସାରିଲାଣି। ଅନ୍ୟପଟେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ପ୍ରତିକ୍ରିୟ ଦେଇଛନ୍ତି। ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ୪ ଜଣିଆ କମିଟି ଗଠନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରତିଭା ରଘୁବଂଶୀ। ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସିକୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସଭାପତି ଚୟନ କରିବା ଭାରତୀୟ ଯୁବ କଂଗ୍ରେସର ଦାୟିତ୍ୱ। ଲୋକନାଥ ମହାରଥୀ ମୋ ସହ ବସିଛନ୍ତି, ଆପଣ କହନ୍ତୁ କିଏ ସଭାପତି ବୋଲି ରଘୁବଂଶୀ କହିଛନ୍ତି।
ପ୍ରକାଶ ଯେ ରବିବାର ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ହାଇଥିବା ଚୟନ କମିଟି ବୈଠକ ପରେ ଏହି ସୂଚନା ଦେଇଥିଲେ ଆବାହକ ପ୍ରଦୀପ ମାଝୀ। ଯୁବ କଂଗ୍ରେସ ସଭାପତି ପଦ ପାଇଁ କମିଟି ୪ ଜଣଙ୍କ ନାମ ଉପରେ ବିଚାର କରୁଛି। ଆସନ୍ତା ୩ ଦିନ ମଧ୍ୟରେ ନାମ ଚୂଡ଼ାନ୍ତ କରି ପିସିସିକୁ ତାଲିକା ପ୍ରଦାନ କରାଯିବ। ପରେ ପିସିସିର ସୁପାରିସ ଆଧାରରେ ଏଆଇସିସି ନାମ ଘୋଷଣା କରିବ ବୋଲି ସେ କହିଥିଲେ।
ଶ୍ରୀ ମାଝି କହିଥିଲେ ଯେ, କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନର ନେତୃତ୍ୱ ପଦବି ଖାଲି ପଡ଼ିଥିବାରୁ ଦଳ ତାର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇପାରୁନି। ଏସବୁ ପଦବି ଶୀଘ୍ର ପୂରଣ ପାଇଁ ଶୀର୍ଷ ସ୍ତରରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବ କଂଗ୍ରେସ ସଭାପତି ପଦ ପାଇଁ ମନୋଜ ବିଶ୍ୱାଳ, ନିରଞ୍ଜନ ନାୟକ, ଅଭିଳାଷ ମାଣିଆ ଓ ରାଜୀବ ପଟ୍ଟନାୟକଙ୍କ ନାମ ଉପରେ ଚୟନ କମିଟି ବିଚାର କରୁଛି। ଚୟନ କମିଟିରେ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅଧ୍ୟକ୍ଷ ଥିବାବେଳେ ରଜତ ଚୌଧୁରୀ ସଦସ୍ୟ ଅଛନ୍ତି।