ନେତାଜୀଙ୍କ ଜନ୍ମଦିନକୁ “ଦେଶଭକ୍ତି ଦିବସ” ଭାବେ ପାଳନ କରାଯାଉ : ଚନ୍ଦ୍ର କୁମାର ବୋଷ

ନୂଆଦିଲ୍ଲୀ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାତି ତଥା ଭାରତୀୟ ଜନତା ପାର୍ଟିର ନେତା ଚନ୍ଦ୍ର କୁମାର ବୋଷ ନେତାଜୀଙ୍କ ଜନ୍ମ ଦିନକୁ ଦେଶଭକ୍ତି ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ହେବ ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ଦେଶଭକ୍ତି ଦିବସ ଭାବେ ଘୋଷଣା କରାଯିବା ପାଇଁ ଦାବି ହୋଇଆସୁଛି। ମାତ୍ର ଏପର୍ଯ୍ୟନ୍ତ ତାହା ପାଳିତ ହୋଇ ପାରୁନାହିଁ। ଏଥିସହ ସେ କହିଛନ୍ତି ଯେ, ଏବେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛେ। ଏହି ଅବସରରେ ୨୦୨୦ ଜାନୁଆରୀ ୨୩କୁ’ ଦେଶଭକ୍ତି ଦିବସ’ କିମ୍ବା ‘ଦେଶ ପ୍ରେମ ଦିବସ’ ଭାବେ ଘୋଷଣା କରିବା ଉଚିତ ହେବ। ଏନେଇ ଚନ୍ଦ୍ର କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଦାବି କରିଥିବା କହିଛନ୍ତି।