Odisha Link
Bridging the Missing Links in Odisha

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରାଯାଉ : ମୋହନ ଭାଗବତ

ଲକ୍ଷ୍ନୌ: ଦେଶର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରିବାକୁ ସାଂସଦମାନେ ବିଧେୟକ ଆଗତ କରନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ମୋରାଦାବାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ମୋହନ କହିଲେ କି, ଦେଶର ପ୍ରକୃତ ବିକାଶ ଲାଗି ଦୁଇଟି ସନ୍ତାନ ନିମନ୍ତେ ଆଇନ ପ୍ରଣୟନ କରାଯିବା ଉଚିତ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବା ସରକାରଙ୍କ ଇଚ୍ଛାଧୀନ, ଆମ ବିଚାରରେ ଆଜିର ସମୟକୁ ଚାହିଁ ଏହା କରାଯିବା କଥା। ଏହି ଆଇନର କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ କିଛି ସମ୍ପର୍କ ରହିବ ନାହିଁ। ଏଣୁ ସମସ୍ତଙ୍କ ପ୍ରତି ଏହା ଲାଗୁ କରାଯାଇପାରିବ। ଏଥିସହ ମୋହନ କହିଛନ୍ତି ଯେ, ଭାରତ ଏକ ବିକାଶଶୀଳ ଦେଶ, କିନ୍ତୁ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ବିକାଶ ପାଇଁ ଅନୁକୂଳ ନୁହେଁ। ଦୁଇଟି ସନ୍ତାନ ନିମନ୍ତେ ଆଗତ ଯେ କୌଣସି ଆଇନକୁ ଆର୍‌ଏସ୍‌ଏସ୍‌ ସମର୍ଥନ କରିବ। ଦୁଇଟି ସନ୍ତାନ ଧାରାକୁ ବାଧ୍ୟତାମୂଳକ କରିବା ପାଇଁ ଆଇନ ପ୍ରଣୟନ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପରବର୍ତ୍ତୀ ଆଜେଣ୍ଡା ବୋଲି ଭାଗବତଙ୍କ ମନ୍ତବ୍ୟରୁ ଜଣାପଡିଛି।

Comments are closed.