ଜମ୍ମୁ ଓ କଶ୍ମୀର ପାଇଁ ୮୦, ୦୦୦ କୋଟିର ପ୍ୟାକେଜ୍

ଜମ୍ମୁ: ଜମ୍ମୁ ଓ କଶ୍ମୀର ବିକାଶ ପାଇଁ କେନ୍ଦ୍ର ସରକାର ୮୦, ୦୦୦ କୋଟିର ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଗରକାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏ କଥା ଘୋଷଣା କରିଛି। ଏହା ଫଳରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଦ୍ରୁତ ଉନ୍ନତି ହେବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ। ଏତିସହ ଅଞ୍ଚଳବାସୀଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।
ସୂଚନାଯୋଗ୍ୟ, ଜାନୁଆରି ୨୦ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମାର୍ଚ ୨୦୨୧ ସୁଦ୍ଧା ୨୫୦୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟୂନ ୨୫ଟି ପ୍ରକଳ୍ପ ଆସିବ। ଜମ୍ମୁ ଓ କଶ୍ମୀରକୁ ଦେଶର ‘ରତ୍ନ’ ବୋଲି ବର୍ଣ୍ଣନା କରି ସେ ଆହୁରି କହିଥିଲେ ଯେ ବୃହତ୍ତର ପୁଞ୍ଜି ବିନିଯୋଗ ଆଶାରେ ସରକାର ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୋଟାଏ ଶିଳ୍ପ ପ୍ୟାକେଜ୍ ଲାଗି ଯୋଜନା କରୁଛନ୍ତି। ଅନ୍ୟୂନ ୩୬ ଜଣ କେନ୍ଦ୍ର ମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସମୟରେ କେନ୍ଦ୍ର ସରକାର ଏ ଭଳି ଘୋଷଣା କରିଛନ୍ତି। ସେମାନେ ଜାନୁଆରି ୧୮ ରୁ ଜାନୁଆରି ୨୪ ଯାଏଁ ଗସ୍ତରେ ରହିବେ। ଗୃହମନ୍ତ୍ରାଳୟ ମଧ୍ୟ ଏହି ଗସ୍ତରେ ସମନ୍ଵୟତା ରକ୍ଷା କରୁଛି।