Odisha Link
Bridging the Missing Links in Odisha

ସିଏଏ ସମ୍ପର୍କରେ ବିରୋଧୀ ଅବଗତ ନାହାନ୍ତି: ବିଜେପି

ଭୁବନେଶ୍ବର: ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ଢେଙ୍କାନାଳ ଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ଜନସାମବେଶରେ ସମ୍ଭୋଧିତ କରିଛନ୍ତି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ବରଗଡ ଜିଲ୍ଲାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି। କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି। ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି। ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି। ଧର୍ମ ପରିବର୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ।

ନାଗରିକତା ସଂଶୋଧନ ଆଇନ କେବଳ ଶରଣାର୍ଥୀମାନଙ୍କୁ ନାଗରକିତା ଦେବା ପାଇଁ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହା ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି । କିନ୍ତୁ ବିରୋଧୀ ଦଳମାନେ ଏହା ବିରୁଦ୍ଧରେ କୁପ୍ରଚାର କରିଚାଲିଛନ୍ତି । ମୋଦି ସରକାର ଉପରେ ଦୁର୍ନୀତି ଏବଂ ଭଷ୍ଟ୍ରାଚାରର ଦାଗ ନଥିବାରୁ ବିରୋଧୀ ଏହି ବାହାନାରେ ହୀନ ରାଜନୀତି କରିବାକୁ ଲାଗିଛନ୍ତି ବୋଲି ଗଜପତି ଜିଲ୍ଲାରେ ଅନୁଷ୍ଠିତ ନାଗରିକତା ସଂଶୋଧନ ଆଇନ ସଚେତନତା କାର୍ଯ୍ୟକ୍ରମରେ କହିଛନ୍ତି । ଢେଙ୍କାନାଳ ସମାବେଶ ପୂର୍ବରୁ ସିଏଏ ସମର୍ଥନରେ ଏକ ରାଲି ବାଜି ଚୌକ ଛକରୁ ବାହାରି କାଂଚନ ବଜାର ପୁରୁଣା ବସଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ଗଣେଶ ବଜାର ହୋଇ ମିନି ଷ୍ଟାଡିୟମ ଠାରେ ପହଂଚି ଥିଲା । ଜିଲ୍ଲା ସଭାପତି ନରେଶ ମହାପାତ୍ର ସଭାପିତ୍ୱରେ ଏହି ସମାବେଶରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବିଭୂତି ପ୍ରଧାନ, କୃଷ୍ଣଚନ୍ଦ୍ର ପାତ୍ର, ଅଶୋକ ନାଏକ, ଦୁର୍ଯ୍ୟୋଧନ ସାହୁ, ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବରଗଡ ସମାବେଶ ସମାବେଶ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ସିଏଏ ସମର୍ଥନରେ ଏକ ରାଲି ଲୋକମଣ୍ଡ ପଡିଆରୁ ବାହାରି ଥାନା ଛକ, ଏସପି ଅଫିସ ଛକ ଦେଇ ସଭାସ୍ଥଳରେ ପହଂଚିଥିଲା । ଏହି ସମାବେଶରେ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ଅରୁପାନନ୍ଦ ସାହୁ, ଇରାଶୀଷ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର, କୁନା ପୁରୋହିତ, ସନତ ଗଡତିଆ, ମିଲନ ସେଠ୍‌, ସୌରୀ ଚରଣ ବାରିକ,ସୁରେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଗଜପତି ସମାବେଶରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ, ଶାରଦା ପ୍ରସାଦ ଶତପଥୀ, ଜିଲ୍ଲା ସଭାପତି ଓ ବିଧାୟକ କେ. ନାରାୟଣ ରାଓ, ଅନୀତା ଶୁଭଦର୍ଶିନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Comments are closed.