ସାଧାରଣତନ୍ତ୍ର ଦିବସ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଡ଼ି ହେବ ନୂଆ ପରମ୍ପରା। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଏବଂ ୩ ସେନାର ମୁଖ୍ୟ ମଧ୍ୟ ଯୋଗଦେବେ। ଅନ୍ୟପଟେ ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆ ଗେଟ୍ଠାରେ ଥିବା ଅମର ଯବାନ ଜ୍ୟୋତିଠାରେ ମଧ୍ୟ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ମାନ ପ୍ରଦାନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଏବଂ ୩ ସେବାର ମୁଖ୍ୟ ମଧ୍ୟ ଯୋଗଦେବାର ଅଛି।
ଗୁରୁବାର ରିପବ୍ଲିକ୍ ଡେ’ ପରେଡ୍ କମାଣ୍ଡର ମେଜର ଜେନେରାଲ ଆଲୋକ କକ୍କର କହିଥିଲେ, “ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସରେ ଜାତୀୟ ଯୁଦ୍ଧ ସ୍ମାରକୀ ଯିବେ। ତାଙ୍କୁ ସେଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଏବଂ ୩ ସେବା ମୁଖ୍ୟ ସ୍ୱାଗତ କରିବେ।”
ସେ ଆହୁରି ମଧ୍ୟ କହିଛନ୍ତି, “ଚଳିତ ବର୍ଷ ଆର୍ମି ଏୟାର ଡିଫେନ୍ସ କର୍ପସ୍ ପ୍ରଥମ ଥର ପାଇଁ ଭାଗନେବ। ଅନ୍ୟପକ୍ଷରେ ସଗନାଲ କର୍ପସକୁ ଚତୁର୍ଥ ପିଢ଼ି ସେନା ଅଧିକାରୀ କ୍ୟାପଟେନ୍ ତାନ୍ୟା ଶେରଗିଲ୍ ନେତୃତ୍ୱ ନେବେ।” ଚଳିତବର୍ଷ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ ୧୬ଟି ମାର୍ଚିଂ କଣ୍ଟିଜେଣ୍ଟ ଭାଗ ନେବେ। ଦୀର୍ଘ ୪ ବର୍ଷ ପରେ ସ୍ପେଶାଲ ଫୋର୍ସ ପରେଡ୍କୁ ଫେରୁଛନ୍ତି।